କୃଷି କାର୍ଯ୍ୟାଳୟ ରେ ତାଲା ପକାଇଲେ ଚାଷୀ

ଭଟଲି :- ବର୍ତମାନ ଚାଷ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ସାର ମିଳୁନଥିବାରୁ ଚାଷୀମାନେ ଭଟଲି କୃଷି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ସାରର କଳାବଜାର ହେଉଥିବା ସେମାନେ ଅଭିଯୋଗ କରିଥିଲେ । ଚଳିତ ଖରିଫ ଋତୁ ପାଇଁ ସରକାର ରାସାୟନିକ ସାର ର ମୂଲ୍ୟ ଧାର୍ଯ୍ୟ କରିଛନ୍ତି । କିନ୍ତୁ ଭଟଲି ଅଞ୍ଚଳରେ ଡିଲର୍ ଏବଂ ହୋଲସେଲର୍ ଚଢ଼ା ଦରରେ ସାର ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ୟୁରିଆ ସାର ବସ୍ତା ପ୍ରତି ୨୬୬.୫୦ ଟଙ୍କା ଓ ଡିଏପି ସାର ୧୩୫୦ ଟଙ୍କା ଧାର୍ଯ୍ୟ ଥିବା ବେଳେ ଏଠାରେ ଯଥାକ୍ରମେ ୬୦୦ ଟଙ୍କା ଓ ୨୩୦୦ ଟଙ୍କା ଦରରେ ବିକ୍ରି ହେଉଛି! ଡିଲରମାନେ ଗୋଦାମ ଗୃହରେ ମହଜୁଦ ରଖିଛନ୍ତି କିନ୍ତୁ ଅଭାବ ଦର୍ଶାଇ ଲୁଟ୍ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । ଗତ ଜୁଲାଇ ୨୬ ତାରିଖରେ ସ୍ଥାନୀୟ ଜଣେ ସାର ବ୍ୟବସାୟୀ ଚଡ଼ା ଦରରେ ସାର ବିକୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଚାଷୀଙ୍କ ଅଭିଯୋଗ ପରେ ବ୍ଲକ କୃଷି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଲାଇସେନ୍ସକୁ ରବ୍ଦ କରିଥିଲେ କିନ୍ତୁ କିଛି ଦିନ ତଳେ ଉପରିସ୍ତ ଅଧିକାରୀ ପୁଣି ସେହି ବ୍ୟବସାୟୀଙ୍କୁ ସାର ବିକ୍ରି ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି ଏବେ ବି ଭଟଲି ବ୍ଲକର ଚାଷୀମାନେ ରାସାୟନିକ ସାର ଠିକ୍ ଭାବରେ ମିଳୁ ନଥିବା ଅଭିଯୋଗ କରିଛନ୍ତି। ମଙ୍ଗଳବାର ସୁଲମୁଲିଆ, ଟେମେରେନ, ଗୋପାଳପୁରର ଚାଷୀମାନେ ସକାଳୁ ସାର ନେବା ପାଇଁ କାର୍ଯ୍ୟାଳୟକୁ ଆସିଥିଲେ ଚାଷୀଙ୍କ ଦରକାର ହିସାବରେ ସାର ବିକ୍ରି ପାଇଁ ସେମାନେ ବ୍ଲକ କୃଷି ଅଧିକାରୀଙ୍କୁ ଜଣାଇଥିଲେ ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ୟବସାୟୀ ତଥା ପ୍ରାଥମିକ କୃଷି ସମବାୟ କେନ୍ଦ୍ର ପ୍ରତ୍ୟେକ ଚାଷୀଙ୍କୁ ଏକର ପ୍ରତି ଦୁଇ ବସ୍ତା ଯୁରିଆ, ଗୋଟିଏ ଲେଖାଏଁ ଡିଏପି ଓ ପଟାସ କିମ୍ବା ଅନ୍ୟ ସାର ବଣ୍ଟନ କରିପାରିବେ କିନ୍ତୁ ଚାଷୀ ମାନେ ତାଙ୍କର ସମୁଦାୟ ଚାଷ କରିଥିବା ଜମିର ଆବଶ୍ୟକ ସାର ଗୋଟିଏ ଦିନରେ ଦେବା ପାଇଁ ଦାବି କରିଥିଲେ। ପରେ ଅପରାହ୍ଣରେ ଏକତ୍ରିତ ହୋଇ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଭିତରେ ବ୍ଲକ କୃଷି ଅଧିକାରୀ ଦେବାଶିଷ ଖମାରୀ ଏବଂ ସହଯୋଗୀ କେଦାର ପଧାନ ଥିଲେ। ଏ ବାବଦରେ ବ୍ଲକ କୃଷି ଅଧିକାରୀ ଶ୍ରୀ ଖମାରୀଙ୍କୁ ଯୋଗାଯୋଗ କରିବାରୁ ଚାଷୀ ମାନେ ସୁଲଭମୂଲ୍ୟରେ ସୂଚାରୁ ରୂପେ କିଭଳି ସାର ପାଇ ପାରିବେ ସେ ଉପରେ କୃଷି କାର୍ଯ୍ୟାଳୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। କିଛି ପ୍ରାଥମିକ କୃଷି ସେବା ସମବାୟ କେନ୍ଦ୍ରରେ ଏହାର ଖିଲାପ କରିଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସରକାରୀ ନିର୍ଦ୍ଦେଶ ଖିଲାପରେ ଆମେ କୌଣସି ଆଦେଶ ଦେଇ ପାରିବୁ ନାହିଁ। ଯାହାବି ଅଭିଯୋଗ ହେଉଛି ତାର ତଦନ୍ତ ନିଶ୍ଚିତ ଭାବରେ କରାଯିବ ବୋଲି କହିଥିଲେ | ଭଟଲି ଥାନାଧିକାରୀ ବିଭୁତି ଭୂଷଣ ଦଳେଇ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା ପରେ ଚାଷୀମାନେ ତାଲା ଖୋଲିଥିଲେ। ଏହା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଜୟ କିଷାନ ଆନ୍ଦୋଳନର ଚାଷୀମାନେ ସାମିଲ ଥିଲେ।



