ଭୁବନେଶ୍ୱର: ରାଜ୍ୟରେ ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜଧାନୀର ବିଜେବି ନଗରସ୍ଥିତ ନାଗେଶ୍ୱରଟାଙ୍ଗିରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସରକାରୀ ଆୟୁର୍ବେଦ ହସ୍ପିଟାଲ ନିର୍ମାଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ନୂଆ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆଧୁନିକ ଚିକିତ୍ସା ସୁବିଧା ସହିତ ଅପରେସନ ଥିଏଟର, ୱାର୍ଡ, ଡେ-କେୟାର, କ୍ୟାବିନ୍ ଏବଂ ଆବଶ୍ୟକ ଡାଏଗ୍ନୋଷ୍ଟିକ୍ ସୁବିଧା ବିକଶିତ କରାଯିବ। ଆୟୁର୍ବେଦ ସହ ଆଧୁନିକ ଚିକିତ୍ସା ସୁବିଧାର ସମନ୍ୱୟ ମାଧ୍ୟମରେ ରୋଗୀଙ୍କୁ ଶୀଘ୍ର ଓ ଗୁଣାତ୍ମକ ସେବା ଦେବା ଉପରେ ଗୁରୁତ୍ୱ ରହିବ।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆଗାମୀ ୧୫ ମାସ ମଧ୍ୟରେ ହସ୍ପିଟାଲର ନିର୍ମାଣ ଶେଷ କରି ଏହାକୁ ଜନସାଧାରଣଙ୍କ ସେବାରେ ନିୟୋଜିତ କରିବାର ଲକ୍ଷ୍ୟ ରହିଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଆୟୁର୍ବେଦ ଓ ହୋମିଓପାଥି ଔଷଧ ଯୋଗାଣକୁ ନିୟମିତ କରାଯାଇଥିବା ସେ କହିଛନ୍ତି।ସରକାରୀ ଆୟୁର୍ବେଦ ହସ୍ପିଟାଲରେ ପଞ୍ଚକର୍ମ ଚିକିତ୍ସା, ଆନୋରେକ୍ଟାଲ୍ ସର୍ଜରୀ ଓ ନିୟମିତ ଯୋଗ କ୍ଲାସ୍ ଆରମ୍ଭ ହୋଇଛି। ପ୍ରାୟ ୪୦ ପ୍ରକାରର ରକ୍ତ ପରୀକ୍ଷା ସୁବିଧା ମିଳୁଥିବା ବେଳେ ଖୁବ୍ଶୀଘ୍ର ଅଲଟ୍ରାସାଉଣ୍ଡ ଓ ଏକ୍ସ-ରେ ସୁବିଧା ଉପଲବ୍ଧ କରାଯିବ।ଏହାସହ ଆୟୁଷ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, PHC ଓ CHCରେ କାର୍ଯ୍ୟରତ ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ଆୟୁର୍ବେଦିକ ଚିକିତ୍ସାକୁ ‘ଆୟୁଷ୍ମାନ ଭାରତ’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ରେ ସାମିଲ କରିବା ନେଇ NHA ସହ ଆଲୋଚନା ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରି ୪୬ ଜଣ ଇନ୍ଡୋର ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ଆୟୁଷ ନିର୍ଦ୍ଦେଶିକା ଅଞ୍ଜନା ପଣ୍ଡା ଓ ଉପଅଧୀକ୍ଷକ ଡା. ଚିତ୍ତରଞ୍ଜନ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଆୟୋଜନରେ ସହଯୋଗ କରିଥିଲେ।ନୂଆ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ରାଜ୍ୟର ଆୟୁର୍ବେଦିକ ଚିକିତ୍ସା ଭିତ୍ତିଭୂମିକୁ ନୂଆ ଦିଗ ଦେବା ସହ ରୋଗୀଙ୍କ ପାଇଁ ଅଧିକ ସୁଲଭ, ଆଧୁନିକ ଓ ଗୁଣାତ୍ମକ ଚିକିତ୍ସା ସେବାର ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

August 13, 2026/
No Comments


