ପରୀକ୍ଷା ବ୍ୟବସ୍ଥାରେ ବଡ଼ ସୁଧାର, ଆତଙ୍କବାଦ ବିରୋଧରେ କଠୋର ବାର୍ତ୍ତା: ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ନୂଆଦିଲ୍ଲୀ, ୧୫/୮: ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ବିକାଶ, ଶିକ୍ଷା, ଜାତୀୟ ସୁରକ୍ଷା ଓ ରାଷ୍ଟ୍ର ନିର୍ମାଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପରୀକ୍ଷା ବ୍ୟବସ୍ଥାରେ ସୁଧାର ଅଣାଯାଉଛି। ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ଉନ୍ନତ କରିବା ଦିଗରେ ସରକାର ବଡ଼ ପଦକ୍ଷେପ ନେଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।
ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଷ୍ଟ୍ରପତି ‘ଅପରେସନ ସିନ୍ଦୂର’କୁ ଭାରତୀୟ ସଶସ୍ତ୍ର ବାହିନୀର କ୍ଷମତା ଓ ସଠିକ୍ ଆକ୍ରମଣ କ୍ଷମତାର ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। ଆତଙ୍କବାଦୀ ଓ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ କଠୋର ବାର୍ତ୍ତା ଦେଇଛନ୍ତି।
ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ପ୍ରସଙ୍ଗ ଉଠାଇ ରାଷ୍ଟ୍ରପତି ଏହାକୁ ଜାତୀୟ ସ୍ୱାର୍ଥ, ବିଶେଷକରି କୃଷକଙ୍କ ସ୍ୱାର୍ଥ ସହ ଜଡ଼ିତ ଏକ ନିର୍ଣ୍ଣାୟକ ପଦକ୍ଷେପ ବୋଲି କହିଛନ୍ତି। ଏଥିସହ ନକ୍ସଲମୁକ୍ତ ଭାରତ ଦିଗରେ ଅଗ୍ରଗତି ଏବଂ ବସ୍ତରରେ ବିକାଶ ଓ ସାଂସ୍କୃତିକ ଭାଗିଦାରୀକୁ ସେ ଦେଶର ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଉଲ୍ଲେଖ କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତାର ପ୍ରକୃତ ଅର୍ଥ ସେତେବେଳେ ସାକାର ହୁଏ, ଯେତେବେଳେ ପ୍ରତ୍ୟେକ ନାଗରିକଙ୍କୁ ନିଜ ସ୍ୱପ୍ନ ଓ ଆକାଂକ୍ଷା ପୂରଣ ପାଇଁ ସମାନ ସୁଯୋଗ ମିଳେ। ଦେଶର ବିକାଶରେ ଛାତ୍ର, ଶିକ୍ଷକ, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଶ୍ରମିକ ଓ କୃଷକଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି।
ଏହା ସହିତ ଖେଳାଳି, କଳାକାର, ଶିଳ୍ପୀ, ବୁଦ୍ଧିଜୀବୀ, ସରକାରୀ ଓ ବେସରକାରୀ କର୍ମଚାରୀ, ଜନପ୍ରତିନିଧି, ନ୍ୟାୟ ବ୍ୟବସ୍ଥା ସହ ଜଡ଼ିତ ବ୍ୟକ୍ତି, ପୁଞ୍ଜିନିବେଶକ ଓ ସାମାଜିକ କର୍ମୀଙ୍କ ଅବଦାନକୁ ମଧ୍ୟ ସେ ରାଷ୍ଟ୍ର ନିର୍ମାଣର ଅଂଶ ବୋଲି କହିଛନ୍ତି।
ଦେଶର ସୁରକ୍ଷାରେ ନିୟୋଜିତ ତିନି ସେନା, ସଶସ୍ତ୍ର ପୁଲିସ ବାହିନୀ ଓ ପୋଲିସ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠାକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ବିଦେଶରେ ରହୁଥିବା ଭାରତୀୟ ସମୁଦାୟ ଏବଂ ବିଭିନ୍ନ ଦେଶରେ ଭାରତୀୟ ଦୂତାବାସରେ କାର୍ଯ୍ୟରତ ଅଧିକାରୀମାନେ ବିଶ୍ୱ ମଞ୍ଚରେ ଭାରତର ସମ୍ମାନ ବଢ଼ାଇବାରେ ଭୂମିକା ନେଉଥିବା ସେ କହିଛନ୍ତି।
୭୮ ଜଣଙ୍କୁ ବୀରତ୍ୱ ପୁରସ୍କାର
ସ୍ୱାଧୀନତା ଦିବସ ୨୦୨୬ ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତି ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ଯବାନମାନଙ୍କ ପାଇଁ ମୋଟ ୭୮ଟି ବୀରତ୍ୱ ପୁରସ୍କାର ମଞ୍ଜୁର କରିଛନ୍ତି। ଏଥିରେ ୧୩ଟି ମରଣୋତ୍ତର ପୁରସ୍କାର ରହିଛି।
ପୁରସ୍କାର ତାଲିକାରେ ୯ଟି କୀର୍ତ୍ତି ଚକ୍ର, ୧ଟି ବାର୍-ଟୁ-ଶୌର୍ଯ୍ୟ ଚକ୍ର, ୧୯ଟି ଶୌର୍ଯ୍ୟ ଚକ୍ର, ୫ଟି ବାର୍-ଟୁ-ସେନା ମେଡାଲ୍, ୩୬ଟି ସେନା ମେଡାଲ୍, ୩ଟି ନୌସେନା ମେଡାଲ୍ ଓ ୫ଟି ବାୟୁସେନା ମେଡାଲ୍ ସାମିଲ ଅଛି।
ଶେଷରେ ରାଷ୍ଟ୍ରପତି ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ତ୍ରିରଙ୍ଗାକୁ ଦେଶର ସ୍ୱାଧୀନତା ଓ ଗୌରବର ପ୍ରତୀକ ଭାବେ ଉଲ୍ଲେଖ କରିଛନ୍ତି। ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନ କରି ଭାରତକୁ ବିଶ୍ୱର ଏକ ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବାରେ ଯୋଗଦାନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।



