ତ୍ରିରଙ୍ଗା ତଳେ ଉତ୍ସବ, ଫାଣ୍ଡି ପରିସରରେ ଅବ୍ୟବସ୍ଥା!
ସାଉଥ୍ ବଲଣ୍ଡା ପୋଲିସ ବିଟ୍ ହାଉସ୍କୁ ନେଇ ଉଠିଲା ପ୍ରଶ୍ନ
ତାଳଚେର: ସ୍ୱାଧୀନତା ଦିବସ ଅବସରରେ ସାଉଥ୍ ବଲଣ୍ଡା ମାର୍କେଟ ନିକଟସ୍ଥ ପୋଲିସ ବିଟ୍ ହାଉସ୍ରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବାବେଳେ, ଫାଣ୍ଡି ପରିସରର ଦୟନୀୟ ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ଫାଣ୍ଡିକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ସାଧାରଣ ଲୋକଙ୍କଠାରୁ ଅଭିଯୋଗ କିମ୍ବା ରିପୋର୍ଟ ଗ୍ରହଣ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଏହାସହ ଫାଣ୍ଡି ପରିସରରେ ବହୁ ସଂଖ୍ୟକ ଗାଡ଼ି ଦୀର୍ଘଦିନ ଧରି ରହିଥିବାରୁ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କଲିୟରି ଥାନା ଅଧୀନରେ ଥିବା ଏହି ବିଟ୍ ହାଉସ୍ର ପରିସରରେ ଗାଡ଼ିଗୁଡ଼ିକୁ ଏଭଳି ଭାବେ ରଖାଯିବା ଯୋଗୁଁ କେବଳ ସାଧାରଣ ଲୋକ ନୁହେଁ, ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପଟେ, ଫାଣ୍ଡି ପରିସରର ଅବ୍ୟବସ୍ଥା ଦୂର କରିବା, ଯାନବାହନଗୁଡ଼ିକୁ ସୁବ୍ୟବସ୍ଥିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ଲୋକଙ୍କ ସୁବିଧା ପାଇଁ ଯାତାୟାତ ରାସ୍ତା ସୁଗମ କରିବାକୁ ସ୍ଥାନୀୟମାନେ ଦାବି କରିଛନ୍ତି।
ସ୍ୱାଧୀନତା ଦିବସରେ ଯେଉଁଠି ଶୃଙ୍ଖଳା, ସୁରକ୍ଷା ଓ ସେବାର ବାର୍ତ୍ତା ଦିଆଯାଉଛି, ସେଠାରେ ଏକ ପୋଲିସ ବିଟ୍ ହାଉସ୍ର ଏଭଳି ଅବ୍ୟବସ୍ଥା କେତେ ଯୁକ୍ତିସଙ୍ଗତ—ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏନେଇ ସମ୍ପୃକ୍ତ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
ମୁଖ୍ୟ ଅତିଥି ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ମେଘବନ ଦାସ୍ ଏବଂ ଶ୍ରୀ ଯୁକ୍ତ ବଶିଷ୍ଟ କୁମାର ସାହୁ ଓ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।
ସନାତନ କରଙ୍କ ରିପୋର୍ଟ।





