‘ବିକଶିତ ଭାରତ’ ସଂକଳ୍ପ ପୂରଣ ପାଇଁ ଏକଜୁଟ ହେବା: ମୋଦୀ
ନୂଆଦିଲ୍ଲୀ: ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସ୍ୱାଧୀନତା ପାଇଁ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ଅଦମ୍ୟ ସାହସ, ଅବିରତ ସଂଘର୍ଷ ଓ ଅତୁଳନୀୟ ତ୍ୟାଗକୁ ଏହି ଜାତୀୟ ପର୍ବ ସ୍ମରଣ କରାଇଥାଏ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ଆଜି ମଧ୍ୟ ଦେଶବାସୀଙ୍କୁ ନିରନ୍ତର ପ୍ରେରଣା ଦେଉଛି। ତାଙ୍କ ଆଦର୍ଶକୁ ଅନୁସରଣ କରି ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
୧୪୦ କୋଟି ଭାରତୀୟଙ୍କ ସାମର୍ଥ୍ୟ ଓ ସାମୂହିକ ପ୍ରୟାସ ବଳରେ ଦେଶ ବିଭିନ୍ନ କ୍ଷେତ୍ରରେ ବିକାଶର ନୂଆ ଶିଖର ଛୁଇଁଚାଲିଛି ବୋଲି ମୋଦୀ ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ଏହି ବିକାଶ ଯାତ୍ରା ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅସୀମ ଶୁଭେଚ୍ଛା ଜଣାଇବା ସହ ବୀର ସଂଗ୍ରାମୀଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି।



