ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି, ଦେଶର ପ୍ରଗତି ପାଇଁ ସଂକଳ୍ପ ଦୋହରାଇଲେ ମୋଦୀ
ନୂଆଦିଲ୍ଲୀ: ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଘାଟରେ ପହଞ୍ଚି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାପୁଙ୍କ ଆଦର୍ଶ, ଦୃଷ୍ଟିକୋଣ ଓ ତାଙ୍କ ମହାନ କାର୍ଯ୍ୟ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଆସିବ ବୋଲି ସେ କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିବା ସହ ଦେଶକୁ ଅଧିକ ପ୍ରଗତିଶୀଳ ଓ ସମୃଦ୍ଧ କରିବାର ସଂକଳ୍ପ ପୁଣିଥରେ ଦୋହରାଇଛନ୍ତି।
‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ମୋଦୀ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଓ କାର୍ଯ୍ୟରୁ ଦେଶ ସର୍ବଦା ପ୍ରେରଣା ନେବ। ପ୍ରତ୍ୟେକ ଭାରତୀୟଙ୍କ ପ୍ରଗତି ସୁନିଶ୍ଚିତ କରିବା ସହ ଭାରତକୁ ଏକ ପ୍ରଗତିଶୀଳ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।



