ଦଳୀୟ କାର୍ଯ୍ୟାଳୟରେ ତ୍ରିରଙ୍ଗାର ଗରିମା, ଏକାଠି ହେଲେ ନେତା-କର୍ମୀ
ଭୁବନେଶ୍ୱର: ଦେଶପ୍ରେମ ଓ ଜାତୀୟ ଏକତାର ଭାବନାରେ ଭିଜିଲା ଭୁବନେଶ୍ୱର। ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟାଳୟରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସ୍ମରଣ କରାଯାଇଛି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବହୁ ବରିଷ୍ଠ ନେତା, ପଦାଧିକାରୀ ଓ କର୍ମୀ ଉପସ୍ଥିତ ରହି ଦେଶର ସ୍ୱାଧୀନତା ଓ ଗଣତନ୍ତ୍ରର ମହତ୍ତ୍ୱକୁ ସ୍ମରଣ କରିଥିଲେ।
ସେହିପରି, ବିଜେଡିର ଶଙ୍ଖ ଭବନରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା। ଦଳର ସଭାପତି ନବୀନ ପଟ୍ଟନାୟକ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଦଳର ବରିଷ୍ଠ ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଥିଲେ।
ଅନ୍ୟପକ୍ଷରେ, ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହର ସହ ପାଳିତ ହୋଇଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହ ଓଡ଼ିଶାବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଥିଲେ।
ଦଳୀୟ ରାଜନୀତିର ମତଭେଦକୁ ପଛରେ ପକାଇ ତିନି ପ୍ରମୁଖ ଦଳର କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡ଼ିବା ଅବସରରେ ଦେଶପ୍ରେମ, ଜାତୀୟ ଏକତା ଓ ଗଣତନ୍ତ୍ରର ମୂଲ୍ୟବୋଧର ବାର୍ତ୍ତା ପ୍ରତିଫଳିତ ହୋଇଥିଲା।



