ନବମ-ଦଶମ ପିଲାଙ୍କ ପାଇଁ ବଡ଼ ଘୋଷଣା: ମାଗଣା ବହି ସହ ମିଳିବ ମଧ୍ୟାହ୍ନ ଭୋଜନ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ।
ପୂର୍ବରୁ ସରକାରୀ ବ୍ୟବସ୍ଥାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଉଥିଲା। ଏବେ ଏହି ସୁବିଧା ନବମ ଓ ଦଶମ ଶ୍ରେଣୀକୁ ବୃଦ୍ଧି କରାଯାଇଥିବାରୁ ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ।
କେବଳ ପାଠ୍ୟପୁସ୍ତକ ନୁହେଁ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଶିକ୍ଷା ସହ ପୋଷଣକୁ ଗୁରୁତ୍ୱ ଦେଇ ସରକାର ଏହି ପଦକ୍ଷେପ ନେଇଛନ୍ତି।
ସରକାରଙ୍କ ଘୋଷଣା ଅନୁଯାୟୀ, ଓଡ଼ିଶାରେ ‘କେଜିରୁ ପିଜି’ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ବ୍ୟବସ୍ଥା ଦିଗରେ ପଦକ୍ଷେପ ନିଆଯାଉଛି। ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ପିଲାମାନେ ମାଗଣାରେ ଆବଶ୍ୟକୀୟ ପାଠ୍ୟପୁସ୍ତକ ପାଇପାରିବେ।
ଏହି ନିଷ୍ପତ୍ତି ଦ୍ୱାରା ଅଭିଭାବକଙ୍କ ଉପରେ ପାଠ୍ୟପୁସ୍ତକ କିଣିବାର ଆର୍ଥିକ ବୋଝ କମିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।



