ଦକ୍ଷିଣ ଲେବାନନରେ ଭୟଙ୍କର ଏୟାରଷ୍ଟ୍ରାଇକ୍, ୭ ମୃତ
ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ପୁଣି ତୀବ୍ର ହୋଇଛି ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ। ଶନିବାର ସକାଳେ ଆନସାର ଗ୍ରାମ ନିକଟରେ ଏକ ଘରକୁ ଇସ୍ରାଏଲୀ ଯୁଦ୍ଧବିମାନ ଟାର୍ଗେଟ କରିଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିବା ଲେବାନନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି।
ଆକ୍ରମଣରେ ଘରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବାରୁ ଧ୍ୱଂସାବଶେଷ ତଳେ ଅନ୍ୟ କେହି ଫସିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ଉଦ୍ଧାରକାରୀ ଦଳ ତଲାସି ଜାରି ରଖିଥିଲେ। ଏହି ଆକ୍ରମଣ ଜୁନ୍ରେ ହୋଇଥିବା ଆମେରିକା ମଧ୍ୟସ୍ଥତାର ଶାନ୍ତି ଢାଞ୍ଚା ପରେ ଲେବାନନରେ ହୋଇଥିବା ସବୁଠାରୁ ମାରାତ୍ମକ ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ।
ଇସ୍ରାଏଲୀ ସେନାର କହିବା ଅନୁସାରେ, ଆନସାର ଓ ନବାତିୟା ଅଞ୍ଚଳରେ ହିଜବୁଲ୍ଲା ସହ ଜଡ଼ିତ ଭିତ୍ତିଭୂମିକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଆଲି ଅଲ-ତାହେର ଅଞ୍ଚଳରେ ଇସ୍ରାଏଲୀ ସୈନିକଙ୍କ ଉପରେ ହିଜବୁଲ୍ଲା ପକ୍ଷରୁ କାର୍ଯ୍ୟକଳାପ ହେବା ପରେ ଏହାର ଜବାବରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ କହିଛି।
ଅନ୍ୟପଟେ, ଲେବାନନର ପ୍ରଧାନମନ୍ତ୍ରୀ ନୱାଫ ସଲାମ ଏହି ଆକ୍ରମଣକୁ ନେଇ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି। ମୃତକମାନେ ସାମରିକ ଟାର୍ଗେଟ ନୁହେଁ ବୋଲି ସେ ଦାବି କରି ଇସ୍ରାଏଲକୁ ଉତ୍ତେଜନା ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି।
ସୂଚନା ଅନୁଯାୟୀ, ଦକ୍ଷିଣ ଲେବାନନର ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଇସ୍ରାଏଲୀ ଆକ୍ରମଣ ଜାରି ରହିଛି। ଏହାକୁ ନେଇ ଜୁନ୍ରେ ହୋଇଥିବା ଶାନ୍ତି ପ୍ରୟାସ ଓ ଅଞ୍ଚଳର ସ୍ଥିରତା ନେଇ ପୁଣି ଚିନ୍ତା ବଢ଼ିଛି।



