ବାମଣ୍ଡା ରାଜ୍ୟ ସଂଗ୍ରହାଳୟ ସ୍ଥାପନ ନିମନ୍ତେ ଆଲୋଚନା ଚକ୍ର
ତା, ୧୯/୮/୨୦୨୬, ଦେବଗଡ଼
ଜିଲ୍ଲାପାଳ, ଦେବଗଡ଼ଙ୍କ ଆହ୍ଵାନ କ୍ରମେ ଆଜି ଅପରାହ୍ନରେ ବିକାଶ ଭବନ, ଦେବଗଡ଼ ଜିଲ୍ଲା ସମ୍ମିଳନୀ କକ୍ଷରେ ଐତିହାସିକ ବାମଣ୍ଡା ରାଜ୍ୟ ସଂଗ୍ରହାଳୟ ସ୍ଥାପନ ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଦେବଗଡ଼ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରଶାସନିକ ଅଧିକାରୀ, ପୋଲିସ ଅଧୀକ୍ଷକ, କୁଚିଣ୍ଡା ଉପ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କ ସମେତ କୁଚିଣ୍ଡା ଉପଖଣ୍ଡ ଓ ଦେବଗଡ଼ ଅଞ୍ଚଳର ବହୁ ବୁଦ୍ଧିଜୀବୀ ତଥା ସାଂସ୍କୃତିକ ବ୍ୟକ୍ତି ଏହି ବୈଠକରେ ଯୋଗଦାନ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।
ପ୍ରସ୍ତାବିତ ସଂଗ୍ରହାଳୟରେ ରାଜକୀୟ ଇତିହାସ ସମେତ ସାମାଜିକ, ସାଂସ୍କୃତିକ, ପ୍ରାକୃତିକ, ଭୌଗୋଳିକ, ଅର୍ଥନୈତିକ, ଐତିହାସିକ ତଥ୍ୟ ଓ ନମୁନା ଏବଂ ଅନ୍ୟାନ୍ୟ ଉପଯୋଗୀ ବସ୍ତୁ, ଫଟୋଚିତ୍ର, ଭିଡ଼ିଓ ଆଦି ରଖାଯିବ ବୋଲି ଜଣା ପଡ଼ିଛି। ସେଥିପାଇଁ ଆଗ୍ରହୀ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କ ଠାରୁ ନିୟମ ଅନୁସାରେ ସେ ସବୁ ସଂଗ୍ରହ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଦେବଗଡ଼ ଠାରେ ଥିବା ପୁରୁଣା ରାଜବାଟି କୋଠାକୁ ଉକ୍ତ ସଂଗ୍ରହାଳୟ ଭାବେ ରୂପାନ୍ତରିତ କରିବା ସହିତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଏହାକୁ ପ୍ରତିଷ୍ଠିତ କରିବା ପାଇଁ “ଆଇଆଇଟି, ମାଡ୍ରାସ” କୁ ଦାୟିତ୍ୱ ଦିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପାଞ୍ଚ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ। ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରାଥମିକ କାର୍ଯ୍ୟ ସମାପ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସୂଚନା ଯୋଗ୍ୟ ଯେ, ଦେବଗଡ଼ ଅଞ୍ଚଳ ଓ କୁଚିଣ୍ଡା ଉପଖଣ୍ଡକୁ ନେଇ ବାମଣ୍ଡା ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା। ଦେବଗଡ଼ ଅଞ୍ଚଳ ତଳ ବାମଣ୍ଡା ଓ କୁଚିଣ୍ଡା ଅଞ୍ଚଳ ଉପର ବାମଣ୍ଡା ଭାବରେ ପରିଚିତ। ସମ୍ପ୍ରତି ଉଭୟ ଅଞ୍ଚଳର ପ୍ରଶାସନିକ ଜିଲ୍ଲା ଅଲଗା ହେଲେ ମଧ୍ୟ ଉଭୟ ଅଞ୍ଚଳ ଭିତରେ ସାଂସ୍କୃତିକ ଐକ୍ୟ ରହିଛି। ତେଣୁ, ସେହି ଅଞ୍ଚଳର ଐତିହାସିକ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଦେବା ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।
ବାମଣ୍ଡା ରାଜ୍ୟର ନାମରେ ଭୋଜପୁର ନିକଟରେ ଥିବା “ବାମଣ୍ଡା ଗଡ଼” ଏବଂ “ବାମରା (ବାମଣ୍ଡା) ରେଳ ଷ୍ଟେସନ” କୁ ପୁରାତନ ଐତିହ୍ୟ ମାନ୍ୟତା ଦେବାକୁ ଦାବି କରିବା ପାଇଁ ଆଲୋଚନା କରାଯାଇଥିଲା। ଏହା ସହିତ ବିଭିନ୍ନ ସ୍ଥାନରେ ଥିବା ସ୍ଵୟଂଭୂ ଶୈବପୀଠ, ମନ୍ଦିର ଏବଂ ରାଜକୀୟ କୋଠାବାଡ଼ି, ବଙ୍ଗଳା ଆଦିର ରକ୍ଷଣାବେକ୍ଷଣ ଓ ଭଗ୍ନାବଶେଷ ଉଦ୍ଧାର ତଥା ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ଏହି କାର୍ଯ୍ୟର ସୁପରିଚାଳନା ନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ଏକ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ “ସଂଗ୍ରହାଳୟ ସଂଯୋଜନା ସମିତି” ଗଠନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସମିତିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ, ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କୁ ମୁଖ୍ୟ ସଂଯୋଜକ ଭାବରେ ମନୋନୀତ କରାଯାଇଛି। ବାମରା ବ୍ଲକରୁ ସମାଜସେବୀ ଯୋଗବିହାରି ପରିଡ଼ା ଏବଂ ଅଗ୍ରଣୀ ଚାଷୀ ବନମାଳୀ ନାୟକ, କୁଚିଣ୍ଡା ବ୍ଲକରୁ ଅଧ୍ୟାପକ ସତ୍ୟନାରାୟଣ ପଟେଲ ଏବଂ ସାଂସ୍କୃତିକ ସଂଗଠକ ମଳୟ ବେହେରା ତଥା ଜମନକିରା ବ୍ଲକରୁ ସାମ୍ବାଦିକ ରବୀନ୍ଦ୍ର ପ୍ରସାଦ ଦାନି ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଙ୍କୁ ସଂଯୋଜକ ଭାବରେ ମନୋନୀତ କରାଯାଇଛି। ଆଗାମୀ ଦିନରେ କୁଚିଣ୍ଡା ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ବିସ୍ତୃତ ଆଲୋଚନା ଚକ୍ର ଆୟୋଜନ କରିବା ସହିତ ସମିତିରେ ବିଭିନ୍ନ ବିଭାଗରେ ଆଗ୍ରହୀ ଓ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ତଥା ସକ୍ରୀୟ ଯୋଗଦାନ ନିଶ୍ଚିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ଆଲୋଚନା ଚକ୍ରରେ କୁଚିଣ୍ଡା ଉପଖଣ୍ଡରୁ ଶାନ୍ତନୁ କୁମାର ସାହୁ, ସୁବାସ ଚନ୍ଦ୍ର ନାୟକ, ବନମାଳୀ ନାୟକ, ଯୋଗବିହାରି ପରିଡ଼ା, କିରଣ ନାୟକ, ସୁରଥ ଚନ୍ଦ୍ର ନାୟକ, ସତ୍ୟନାରାୟଣ ପଟେଲ, ପ୍ରଶାନ୍ତ କୁମାର ନାୟକ, ରତନ ଲାଲ ସିଂ, ରୁଦ୍ରନାରାୟଣ ବେହେରା, ରବୀନ୍ଦ୍ର ପ୍ରସାଦ ଦାନୀ, ସାଲେଗ୍ରାମ ପ୍ରଧାନ, ସରୋଜ ପଟ୍ଟନାୟକ, ପିଛାଲୁ ଭୋଇ ଆଦି ଯୋଗଦାନ କରିଥିଲେ। କୁଚିଣ୍ଡା ଉପ ଜିଲ୍ଲାପାଳଙ୍କ ପ୍ରତିନିଧି ଭାବରେ ସହକାରୀ ଜିଲ୍ଲାପାଳ ସାଗର ପ୍ରସାଦ ପ୍ରଧାନ ଉପସ୍ଥିତ ଥିଲେ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



