ପର୍ଜଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍-ଟ୍ରଲର ଧକ୍କାରେ ଚାଳକ ମୃତ
ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଧୀନ ୧୪୯ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୁଆଳୋ ପଞ୍ଚାୟତ ଅନ୍ତର୍ଗତ ପରମହଂସପୁରସ୍ଥିତ ସୂର୍ଯ୍ୟ ଢାବା ନିକଟ ବୁଲାଣିରେ ଏକ ଟ୍ରକ୍ ଓ ଟ୍ରଲର ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରକ୍ର ଚାଳକଙ୍କ ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଖବର ପାଇ ପର୍ଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏହାସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇ ଯାତାୟାତ ସ୍ୱାଭାବିକ କରାଯାଇଥିବା ଜଣାପଡ଼ିଛି।
ମୃତ ଟ୍ରକ୍ ଚାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପରିଚୟ ଜାଣିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପର୍ଜଙ୍ଗ ପୁଲିସ ତଦନ୍ତ ଜାରି ରଖିଛି।



