ପିଆଜ ଦର ନିୟନ୍ତ୍ରଣ ପାଇଁ ‘କାନ୍ଦା ଏକ୍ସପ୍ରେସ’ ଟ୍ରାକ୍ରେ, ୩୫ ଟଙ୍କାରେ ମିଳିବ ପିଆଜ
ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ପିଆଜ ଦର ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ବଜାରରେ ପିଆଜ ଦର ଉପରେ ଲଗାମ ଲଗାଇବାକୁ ଏବେ ଟ୍ରାକ୍ରେ ଦୌଡ଼ିଛି ‘କାନ୍ଦା ଏକ୍ସପ୍ରେସ’। ଏହି ଟ୍ରେନ୍ ଜରିଆରେ ସରକାରୀ ବଫର ଷ୍ଟକ୍ରୁ ପିଆଜ ଅଧିକ ଦର ଥିବା ସହରଗୁଡ଼ିକୁ ପଠାଯାଉଛି।
ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଏହି ପିଆଜ ଗ୍ରାହକମାନେ କିଲୋପ୍ରତି ୩୫ ଟଙ୍କାର ରିହାତି ଦରରେ ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଏନ୍ସିଆର, ଚେନ୍ନାଇ, ମାଦୁରାଇ, ଏର୍ନାକୁଲମ୍/କୋଚି ଏବଂ ଗୌହାଟିକୁ ପିଆଜ ପଠାଯାଉଛି। ଏହି ରେଳ ରାକ୍ଗୁଡ଼ିକ ଅଗଷ୍ଟ ୨୬ ସୁଦ୍ଧା ନିର୍ଦ୍ଦିଷ୍ଟ ବଜାରରେ ପହଞ୍ଚିବା ଆଶା କରାଯାଉଛି।
ଆହୁରି ସହରକୁ ଯାଇପାରେ ‘କାନ୍ଦା ଏକ୍ସପ୍ରେସ’
ବଜାରର ଚାହିଦା ଓ ଦର ସ୍ଥିତିକୁ ଦେଖି ପରବର୍ତ୍ତୀ ପର୍ଯ୍ୟାୟରେ କୋଲକାତା ଓ ଲକ୍ଷ୍ନୌ ଭଳି ସହରକୁ ମଧ୍ୟ ପିଆଜ ପଠାଯାଇପାରେ। ବଫର ଷ୍ଟକ୍ରୁ ଆସୁଥିବା ପିଆଜକୁ ସମବାୟ ସଂସ୍ଥାଗୁଡ଼ିକର ମୋବାଇଲ୍ ଭ୍ୟାନ୍ ଏବଂ ବିଭିନ୍ନ ଆଉଟଲେଟ୍ ମାଧ୍ୟମରେ ବିକ୍ରି କରାଯିବ।
ସରକାରଙ୍କ ଏହି ପଦକ୍ଷେପ ଫଳରେ ଖୁଚୁରା ବଜାରରେ ପିଆଜ ଦର ଉପରେ ଚାପ କମିବା ସହ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
ବର୍ଷକରେ ୫୯% ବଢ଼ିଛି ପିଆଜ ଦର
ଅଗଷ୍ଟ ୨୪ ସୁଦ୍ଧା ଦେଶରେ ପିଆଜର ହାରାହାରି ଖୁଚୁରା ଦର କିଲୋପ୍ରତି ୪୩.୫୩ ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ ଦର ୨୭.୩୭ ଟଙ୍କା ଥିଲା। ଅର୍ଥାତ୍, ବର୍ଷକ ମଧ୍ୟରେ ପିଆଜ ଦର ପ୍ରାୟ ୫୯ ପ୍ରତିଶତ ବଢ଼ିଛି। ସେହିପରି ହାରାହାରି ପାଇକାରୀ ଦର ମଧ୍ୟ ପ୍ରାୟ ୬୮ ପ୍ରତିଶତ ବଢ଼ି କିଲୋପ୍ରତି ୩୫.୫୮ ଟଙ୍କାରେ ପହଞ୍ଚିଛି।
ଦିଲ୍ଲୀ ଓ ଚେନ୍ନାଇ ଭଳି ସହରରେ ପିଆଜ କିଲୋପ୍ରତି ୫୫ରୁ ୬୫ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ କୋଲକାତାରେ ଦର ପ୍ରାୟ ୫୩ ଟଙ୍କା ରହିଛି।
୧.୨୧ ଲକ୍ଷ ଟନ୍ ବଫର ଷ୍ଟକ୍
ଅଗଷ୍ଟ-ସେପ୍ଟେମ୍ବରରେ ପାର୍ବଣ ଚାହିଦା ବଢ଼ିବା ସହ ପାଣିପାଗଜନିତ ସମସ୍ୟା ଯୋଗୁଁ ପିଆଜ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ୧.୨୧ ଲକ୍ଷ ଟନ୍ ପିଆଜର ବଫର ଷ୍ଟକ୍ ରଖିଛନ୍ତି। ବଜାରର ଆବଶ୍ୟକତା ଅନୁଯାୟୀ ଏହି ଷ୍ଟକ୍କୁ ପର୍ଯ୍ୟାୟକ୍ରମେ ବଜାରକୁ ଛଡ଼ାଯାଉଛି।
ସରକାରଙ୍କ ଲକ୍ଷ୍ୟ ହେଉଛି—ପାର୍ବଣ ସମୟରେ ପିଆଜ ଦର ନିୟନ୍ତ୍ରଣରେ ରଖିବା ଏବଂ ସାଧାରଣ ଗ୍ରାହକଙ୍କୁ ମହଙ୍ଗା ପିଆଜରୁ ଆଶ୍ୱସ୍ତି ଦେବା।



