ଫୁଲୁଛି ମହାନଦୀ, ବଢୁଛି ହୀରାକୁଦ ଜଳସ୍ତର; ୧୬ ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ
ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ବଢ଼ୁଥିବା ଜଳସ୍ତରକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟକ୍ରମେ ଅଧିକ ଗେଟ୍ ଖୋଲାଯାଉଛି। ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାଜଳ ମହାନଦୀକୁ ନିଷ୍କାସିତ ହେଉଛି।
ହୀରାକୁଦର ବାମପଟର ୧୧ଟି ଏବଂ ଡାହାଣପଟର ୫ଟି ଗେଟ୍ ଖୋଲାଯାଇଛି। ଏହି ଗେଟ୍ଗୁଡ଼ିକ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୮୮ ହଜାର ୯୭୮ କ୍ୟୁସେକ ଜଳ ମହାନଦୀକୁ ଛଡ଼ାଯାଉଛି। ଅନ୍ୟପଟେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୫ ହଜାର ୮୪୦ କ୍ୟୁସେକ ଜଳ ପ୍ରବେଶ କରୁଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୮୭ ଫୁଟ୍ ରହିଛି। ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷାର ପାଣି ହୀରାକୁଦକୁ ପ୍ରବେଶ କରୁଥିବାରୁ ଜଳସ୍ତର ବଢ଼ିଚାଲିଛି।
ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ହୋଇଥିବା ବର୍ଷାର ପାଣି ମଧ୍ୟ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ହୀରାକୁଦରେ ଜଳ ପ୍ରବେଶ ପରିମାଣ ବଢ଼ିବା ସହ ମହାନଦୀର ଜଳପ୍ରବାହ ମଧ୍ୟ ବଢ଼ୁଛି।
ଉପରମୁଣ୍ଡରେ ବର୍ଷା ଜାରି ରହିଲେ ହୀରାକୁଦର ଜଳସ୍ତର ଓ ମହାନଦୀର ପ୍ରବାହ ଉପରେ ନଜର ରଖି ଆଗକୁ ଗେଟ୍ ଖୋଲା କିମ୍ବା ବନ୍ଦ ନେଇ ନିଷ୍ପତ୍ତି ନିଆଯିବ।



