ସାର କଳାବଜାରୀ କଲେ ଛାଡ଼ ନାହିଁ, କଠୋର କାର୍ଯ୍ୟାନୁଷ୍ଠାନ: ସମବାୟ ମନ୍ତ୍ରୀ
ଭୁବନେଶ୍ୱର: ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଣ ସୁନିଶ୍ଚିତ କରିବା ସହ କଳାବଜାରୀ ରୋକିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଉଛନ୍ତି। ସାରକୁ ନେଇ କୌଣସି ପ୍ରକାରର କଳାବଜାରୀ କିମ୍ବା ଅନିୟମିତତା ଧରାପଡ଼ିଲେ ଦୋଷୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ସାର ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। ଚାଷୀମାନଙ୍କୁ ସାରର ଅଭାବ ଯେପରି ନହୁଏ, ସେଥିପାଇଁ ସରକାରଙ୍କ ପକ୍ଷରୁ ନିୟମିତ ଭାବେ ନଜର ରଖାଯାଉଛି।
ଏଯାବତ୍ କୃଷି ବିଭାଗ ପକ୍ଷରୁ ୨ ଲକ୍ଷ ୭୬ ହଜାର ୯୭୩ ଟନ୍ ସାର ଯୋଗାଣ ହୋଇଛି। ସେହିପରି ସମବାୟ ବିଭାଗ ଜରିଆରେ ପ୍ୟାକ୍ସ ଓ ଲ୍ୟାମ୍ପସଗୁଡ଼ିକୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ପହଞ୍ଚାଇ ଦିଆଯାଇଛି। ବର୍ତ୍ତମାନ ମଧ୍ୟ ସମବାୟ ବିଭାଗ ନିକଟରେ ୨୮ ହଜାର ୨୯୭ ଟନ୍ ସାର ମହଜୁଦ ରହିଛି।
ଆଗାମୀ ଦିନରେ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଆହୁରି ୩ ଲକ୍ଷ ୨୦ ହଜାର ଟନ୍ ସାର ଯୋଗାଇ ଦିଆଯିବ। ଏହାଦ୍ୱାରା ରାଜ୍ୟରେ ସାରର ଆବଶ୍ୟକତା ପୂରଣ ହେବ ବୋଲି ବିଭାଗ ଆଶା ରଖିଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କୃଷି ବିଭାଗ ପକ୍ଷରୁ ସମବାୟ ବିଭାଗକୁ ମୋଟ ସାରର ୩୫ ପ୍ରତିଶତ ଯୋଗାଇ ଦିଆଯାଉଥିଲା। ଏବେ ଏହି ପରିମାଣ ବଢ଼ାଇ ୬୦ ପ୍ରତିଶତ କରାଯାଇଛି। ଫଳରେ ପ୍ୟାକ୍ସ ଓ ଲ୍ୟାମ୍ପସ ମାଧ୍ୟମରେ ଚାଷୀଙ୍କ ନିକଟରେ ଅଧିକ ପରିମାଣରେ ସାର ପହଞ୍ଚିବାର ବାଟ ଖୋଲିଛି।
ଚାଷୀଙ୍କ ହିତରେ ସାର ଯୋଗାଣ ବ୍ୟବସ୍ଥାକୁ ସ୍ୱଚ୍ଛ ରଖିବା ସହ କଳାବଜାରୀ ଉପରେ ଶୂନ୍ୟ ସହନଶୀଳତା ନୀତି ଆପଣାଯିବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି।

August 28, 2026/
No Comments


