ସୁଭଦ୍ରା ମଞ୍ଚରେ ଭାଇ-ଭଉଣୀର ଭାବନା: ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖି ବାନ୍ଧିଲେ ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ସୁଭଦ୍ରା ମଞ୍ଚରେ ଦେଖିବାକୁ ମିଳିଲା ଭାଇ-ଭଉଣୀର ସ୍ନେହ ଓ ଭାବନାର ଏକ ନିଆରା ଦୃଶ୍ୟ। ନୟାଗଡ଼ ଜିଲ୍ଲା ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଆୟୋଜିତ ସୁଭଦ୍ରା କାର୍ଯ୍ୟକ୍ରମର ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଖି ବାନ୍ଧିଥିଲେ ବାଚସ୍ପତି ସୁରମା ପାଢ଼ୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଲଲାଟରେ ଚନ୍ଦନ ଲଗାଇବା ସହ ଆରତି କରିଥିଲେ ଉଭୟେ। ପରେ ତାଙ୍କ ହାତରେ ରାଖି ବାନ୍ଧି ମିଠା ଖୁଆଇଥିଲେ। ରାକ୍ଷୀ ପୂର୍ଣ୍ଣିମାର ଏହି ଦୃଶ୍ୟ ମଞ୍ଚରେ ଉପସ୍ଥିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଏହି ଅବସରରେ ରାଜ୍ୟର ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଲାଠିପଡ଼ା ଟାଙ୍ଗି ପଡ଼ିଆସ୍ଥିତ ସୁଭଦ୍ରା ମଞ୍ଚରୁ ମୁଖ୍ୟମନ୍ତ୍ରୀ ମାଝୀ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ହସ୍ତାନ୍ତର କରିଥିଲେ।
ପଞ୍ଚମ କିସ୍ତିରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏହି ପର୍ଯ୍ୟାୟ ପାଇଁ ରାଜ୍ୟରେ ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା।
ସମସ୍ତ ହିତାଧିକାରୀଙ୍କ ଖାତାକୁ ମିଳିତ ଭାବେ ୫ ହଜାର ୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି। ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ପଞ୍ଚମ କିସ୍ତି ମିଳିବାକୁ ନେଇ ମହିଳା ହିତାଧିକାରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି।



