୬ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ରେଭିନ୍ୟୁ ଆସିଷ୍ଟାଣ୍ଟ, ଭିଜିଲାନ୍ସର ଚଢ଼ାଉ
କେନ୍ଦୁଝର: ଜମି ପାର୍ଟିଶନ ଓ ମ୍ୟୁଟେଶନ ମାମଲାରେ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍ ଉମାଶଙ୍କର। ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶୁକ୍ରବାର ପୂର୍ବାହ୍ନରେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଡଳଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ପରିବାରର ଜମି ପାର୍ଟିଶନ ପାଇଁ ଆବେଦନ କରିଥିଲେ। ଏହି କାମ କରାଇଦେବା ପାଇଁ ରେଭିନ୍ୟୁ ଆସିଷ୍ଟାଣ୍ଟ ଉମାଶଙ୍କର ତାଙ୍କୁ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗକାରୀ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଅଭିଯୋଗର ପ୍ରାଥମିକ ଯାଞ୍ଚ କରାଯାଇଥିଲା। ପରେ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଲାଞ୍ଚ ଟଙ୍କା ନେଉଥିବା ବେଳେ ଉମାଶଙ୍କରଙ୍କୁ ଧରିବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
କେନ୍ଦୁଝର ଭିଜିଲାନ୍ସ ଡିଏସ୍ପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଏକ ଟିମ୍ ପାଟଣା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ ଚଳାଇଛି। ତହସିଲଦାର ଅଶ୍ୱିନୀ କୁମାର ନାଏକ ଓ ମୁଖ୍ୟ କିରାଣିଙ୍କଠାରୁ ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସମ୍ପର୍କିତ ବିଭିନ୍ନ ଫାଇଲ ଓ ଦସ୍ତାବିଜ ସଂଗ୍ରହ କରି ଯାଞ୍ଚ କରାଯାଉଛି।
ଏହି ଘଟଣା ପରେ ପାଟଣା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସର ତନାଘନା ଜୋରଦାର ହୋଇଛି। ଲାଞ୍ଚ କାରବାର ସହ ଆଉ କୌଣସି ଅନିୟମିତତାର ସମ୍ପର୍କ ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।



