MMDR ସଂଶୋଧନକୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ, ‘ତଥ୍ୟ ଲୁଚାଇ ଲୋକଙ୍କୁ ବିଭ୍ରାନ୍ତ କରିବା ଠିକ୍ ନୁହେଁ’
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୯/୮: ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଅଧିନିୟମ, ୨୦୨୬ (MMDR Amendment Act)କୁ ନେଇ ରାଜନୈତିକ ତର୍କ ତୀବ୍ର ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଲେଖିଥିବା ଚିଠିର ଜବାବ ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନିଜ ପ୍ରତିଉତ୍ତର ପତ୍ରରେ ଧର୍ମେନ୍ଦ୍ର କହିଛନ୍ତି, ରାଜନୈତିକ ମତଭେଦ ଗଣତନ୍ତ୍ରର ସ୍ୱାଭାବିକ ପ୍ରକ୍ରିୟା। ତେବେ ତଥ୍ୟକୁ ଗୋପନ ରଖି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ। ସଂସଦରେ ଓଡ଼ିଶାର ସ୍ୱର ଭାବେ ରାଜ୍ୟର ଅର୍ଥନୈତିକ ଓ ଶିଳ୍ପ ସ୍ୱାର୍ଥର ସୁରକ୍ଷା କରିବା ସାଂସଦମାନଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଛନ୍ତି।
ଧର୍ମେନ୍ଦ୍ରଙ୍କ ମତରେ, MMDR ସଂଶୋଧନ ଅଧିନିୟମ, ୨୦୨୬ ଦେଶର ଅର୍ଥନୈତିକ ବିକାଶ, ଭିତ୍ତିଭୂମି ନିର୍ମାଣ ଓ ରାଜ୍ୟ ରାଜସ୍ୱ ସୁରକ୍ଷା ଦିଗରେ ଏକ ଐତିହାସିକ ପଦକ୍ଷେପ। ନୂଆ ଆଇନ ଅନୁସାରେ ଖଣି କ୍ଷେତ୍ରରୁ ଆସୁଥିବା ମୋଟ ରାଜସ୍ୱର ପ୍ରାୟ ୯୦ ପ୍ରତିଶତ ସିଧାସଳଖ ରାଜ୍ୟ ରାଜକୋଷକୁ ଯିବ ବୋଲି ସେ ଦାବି କରିଛନ୍ତି।
ସେହିପରି ଓଡ଼ିଶା ନିଜର ନିଲାମ ପ୍ରିମିୟମର ୧୧୦ ପ୍ରତିଶତ, ରୟାଲଟିର ୧୫ ପ୍ରତିଶତ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ସମ୍ପୂର୍ଣ୍ଣ ଅଂଶ ପୂର୍ବପରି ପାଇବ ବୋଲି ଚିଠିରେ ଦର୍ଶାଇଛନ୍ତି।
ପୂର୍ବତନ ବ୍ୟବସ୍ଥାକୁ ନେଇ ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ୨୦୧୪ ପୂର୍ବରୁ ଅସ୍ୱଚ୍ଛ ଭାବେ ଖଣି ବଣ୍ଟନ ହେଉଥିବାରୁ ଓଡ଼ିଶାର ଖଣି ରାଜସ୍ୱ ସୀମିତ ଥିଲା। ୨୦୧୫ରେ କେନ୍ଦ୍ର ସରକାରଙ୍କ MMDR ସଂଶୋଧନ ପରେ ସ୍ୱଚ୍ଛ ଇ-ନିଲାମ ବ୍ୟବସ୍ଥା ଓ ରୟାଲଟି ବୃଦ୍ଧି ଫଳରେ ରାଜ୍ୟର ଖଣି ରାଜସ୍ୱରେ ବଡ଼ ବୃଦ୍ଧି ଘଟିଥିବା ସେ କହିଛନ୍ତି।
ଏଥିସହ ଖଣିଜ ଜମି ଉପରେ ଅନିୟନ୍ତ୍ରିତ ଶୁଳ୍କ ଲାଗୁ ହେଲେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଓ ଯାଜପୁର ଭଳି ଶିଳ୍ପାଞ୍ଚଳରେ ଖଣି ଓ ଶିଳ୍ପ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରିଥାନ୍ତା ବୋଲି ସେ ଯୁକ୍ତି ଦେଇଛନ୍ତି। ଏହାର ପ୍ରଭାବରେ ରୋଜଗାର ସୁଯୋଗ ଓ ସାଧାରଣ ଲୋକଙ୍କ ଉପରେ ମହଙ୍ଗାଇର ଚାପ ବଢ଼ିବାର ଆଶଙ୍କା ଥିବା ମଧ୍ୟ ସେ କହିଛନ୍ତି।
ଧର୍ମେନ୍ଦ୍ର ଆହୁରି ଦାବି କରିଛନ୍ତି ଯେ, ୨୦୧୫ ପରଠାରୁ ଓଡ଼ିଶାର ଖଣି ଅଞ୍ଚଳଗୁଡ଼ିକର ବିକାଶ ପାଇଁ DMF ମାଧ୍ୟମରେ ୩୭ ହଜାର କୋଟିରୁ ଅଧିକ ଟଙ୍କା ମିଳିଛି।
ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ବିକାଶ ଓ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶାର ସାଂସଦମାନେ ସଂସଦରେ MMDR ସଂଶୋଧନ ବିଲ୍କୁ ସମର୍ଥନ କରିଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଆଇନକୁ ସମର୍ଥନ କରିବାକୁ ସେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି।



