ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ: ଜଣେ ମୃତ, ୪-୫ ଜଣ ଚିକିତ୍ସାଧୀନ ସୁଚନା
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର ପଞ୍ଚାୟତରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଏହି ସଂକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ କିଛି ଲୋକ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।
ମୃତକଙ୍କ ନାମ ସୁମନ୍ତ ସେଠୀ ବୋଲି ଜଣାପଡ଼ିଛି। ପ୍ରଥମେ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା ଓ ଦେହହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥିଲା। ପରେ ପରୀକ୍ଷା ପରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଥିବା ଜଣାପଡ଼ିଥିଲା। ଚିଗର୍ ନାମକ ସଂକ୍ରମିତ କୀଟ କାମୁଡ଼ିବା ଯୋଗୁଁ ଏହି ସଂକ୍ରମଣ ହୋଇଥିବା କୁହାଯାଉଛି।
ସୂଚନା ଅନୁସାରେ, ସଂକ୍ରମଣରେ ଆକ୍ରାନ୍ତ ଦଶରୁ ଅଧିକ ଲୋକଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ପାଲଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ କହିଛନ୍ତି ଯେ, ଏନେଇ ସେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁସାରେ, ସ୍କ୍ରବ୍ ଟାଇଫସ୍ରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୪ରୁ ୫ ଜଣ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଥିବା ଉପଜିଲ୍ଲାପାଳ କହିଛନ୍ତି। ଆକ୍ରାନ୍ତମାନଙ୍କୁ ଆବଶ୍ୟକ ଔଷଧ ଦିଆଯିବା ସହ ଡାକ୍ତରୀ ଦଳଙ୍କ ନଜରରେ ରଖାଯାଇଛି। ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଖପାଖ ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି ଏବଂ ଆବଶ୍ୟକୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।



