ଲକ୍ଷ୍ନୌ ଛାଉଣିରେ ୧୦୦ କୋଟିରୁ ଅଧିକ ଟଙ୍କାର ୧୪ ବିକାଶ ପ୍ରକଳ୍ପର ଶୁଭାରମ୍ଭ
ଲକ୍ଷ୍ନୌ, ୩୦/୦୮: ଲକ୍ଷ୍ନୌ ଛାଉଣି ଅଞ୍ଚଳର ବିକାଶକୁ ମିଳିଲା ବଡ଼ ଗତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ହେବାକୁ ଥିବା ୧୪ଟି ବିକାଶ ପ୍ରକଳ୍ପର ଭୂମିପୂଜନ କରିଛନ୍ତି।
ଛାଉଣି ଅଞ୍ଚଳରେ ନାଗରିକ ସୁବିଧା, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ପରିମଳ, ପାନୀୟ ଜଳ ଯୋଗାଣ ଓ ସହରୀ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଲକ୍ଷ୍ୟ।
ପ୍ରକଳ୍ପଗୁଡ଼ିକ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ବହୁମୁଖୀ କ୍ରୀଡ଼ା କମ୍ପ୍ଲେକ୍ସ, ଆଧୁନିକ ଶ୍ମଶାନ ଘାଟ, ୧୫୦୦ କିଲୋଲିଟର କ୍ଷମତାର ଭୂତଳ ଜଳାଶୟ, ପୁରୁଣା ଜଳ ଯୋଗାଣ ପାଇପ୍ଲାଇନ୍ ପରିବର୍ତ୍ତନ, SCADA ସ୍ୱୟଂଚାଳନ ସହ ୮ଟି ଟ୍ୟୁବ୍ୱେଲ୍ ଏବଂ ଓଭରହେଡ୍ ଟ୍ୟାଙ୍କ ରହିଛି।
ଏହାବ୍ୟତୀତ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ, ଆରଏ ବଜାର ମାଧ୍ୟମିକ ବିଦ୍ୟାଳୟ ଓ ରେନବୋ ମଡେଲ୍ ସ୍କୁଲ୍ରେ ଅତିରିକ୍ତ ଶ୍ରେଣୀଗୃହ ଓ ଶୌଚାଳୟ, ବହୁସ୍ତରୀୟ ରୋବୋଟିକ୍ କାର୍ ପାର୍କିଂ ଏବଂ ବାଣିଜ୍ୟିକ କମ୍ପ୍ଲେକ୍ସ ଭଳି ପ୍ରକଳ୍ପ ମଧ୍ୟ ରହିଛି। ପୁରୁଣା ବର୍ଜ୍ୟବସ୍ତୁର ବାୟୋ-ମାଇନିଂ ଓ ବାୟୋ-ରିମେଡିଏସନ୍ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।
ଏହି ଅବସରରେ ରାଜନାଥ ସିଂହ କହିଛନ୍ତି ଯେ, ଲକ୍ଷ୍ନୌ ଛାଉଣିର ବିକାଶ ଲକ୍ଷ୍ନୌ ସହରର ସାମଗ୍ରିକ ପ୍ରଗତି ସହ ଘନିଷ୍ଠ ଭାବେ ଜଡ଼ିତ। କେନ୍ଦ୍ର ଓ ରାଜ୍ୟର ସମନ୍ୱିତ ପ୍ରୟାସ ଦ୍ୱାରା ବିକାଶ ଓ ସୁଶାସନକୁ ଆହୁରି ଗତି ମିଳିପାରିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି। ବିକଶିତ ଭାରତର ଅର୍ଥ କେବଳ ବଡ଼ ବଡ଼ ପ୍ରକଳ୍ପ କିମ୍ବା ଆଧୁନିକ କୋଠା ନୁହେଁ; ପ୍ରତ୍ୟେକ ଶିଶୁଙ୍କୁ ଉତ୍ତମ ଶିକ୍ଷା, ପ୍ରତ୍ୟେକ ଘରକୁ ସ୍ୱଚ୍ଛ ଜଳ, ଯୁବପିଢ଼ିଙ୍କୁ କ୍ରୀଡ଼ାର ସୁଯୋଗ ଏବଂ ଦିବ୍ୟାଙ୍ଗ ଶିଶୁଙ୍କୁ ସମାନ ଅଧିକାର ମିଳିବା ମଧ୍ୟ ବିକଶିତ ଭାରତର ଅଂଶ।
ବଦଳିଲା ବ୍ରିଟିଶ୍ ଯୁଗର ବଜାର ନାମ
ଲକ୍ଷ୍ନୌ ଛାଉଣିର ବିଭିନ୍ନ ବଜାରର ନାମ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ରାଜନାଥ ସିଂହ ଉଲ୍ଲେଖ କରିଥିଲେ। ରୟାଲ୍ ଆର୍ଟିଲରୀ ବଜାରକୁ ‘ଏକତା ବଜାର’, ବ୍ରିଟିଶ୍ କ୍ୟାଭାଲ୍ରି ବଜାରକୁ ‘ଉଦା ଦେବୀ ବଜାର’, ବ୍ରିଟିଶ୍ ଇନ୍ଫାଣ୍ଟ୍ରି ବଜାରକୁ ‘ମାତାଦୀନ ବାଲ୍ମିକୀ ବଜାର’ ଏବଂ ଅନ୍ୟ ଏକ ବ୍ରିଟିଶ୍ ଇନ୍ଫାଣ୍ଟ୍ରି ବଜାରକୁ ‘ମଙ୍ଗଳ ପାଣ୍ଡେ ବଜାର’ ନାମରେ ପରିବର୍ତ୍ତନ କରାଯାଇଛି। ସେହିପରି ‘କେନେଡି ବଜାର’ର ନାମ ‘ଅଟଳ ବିହାରୀ ବାଜପେୟୀ ବଜାର’ କରାଯାଇଛି।
ଏହି ନାମ ପରିବର୍ତ୍ତନର ଉଦ୍ଦେଶ୍ୟ ନୂଆ ପିଢ଼ିକୁ ଭାରତର ଐତିହ୍ୟ ଓ ସ୍ୱାଧୀନତା ସଂଗ୍ରାମର ମହାନ ବ୍ୟକ୍ତିତ୍ୱଙ୍କ ସହ ଯୋଡ଼ିବା ଏବଂ ଦେଶସେବା ପାଇଁ ପ୍ରେରିତ କରିବା ବୋଲି ରାଜନାଥ ସିଂହ କହିଛନ୍ତି।
କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ରାଜ୍ୟମନ୍ତ୍ରୀ ଅସୀମ ଅରୁଣ, ସେଣ୍ଟ୍ରାଲ୍ କମାଣ୍ଡର ଜିଓସି-ଇନ୍-ସି ଲେଫ୍ଟନାଣ୍ଟ ଜେନେରାଲ୍ ଅନିନ୍ଦ୍ୟ ସେନଗୁପ୍ତା, ରାଜ୍ୟସଭା ସାଂସଦ ଦିନେଶ ଶର୍ମା, ଲକ୍ଷ୍ନୌ ମେୟର ସୁଷମା ଖରୱାଲଙ୍କ ସମେତ ପ୍ରତିରକ୍ଷା ବାହିନୀ, କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଲକ୍ଷ୍ନୌ ଛାଉଣି ବୋର୍ଡର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। :::



