କୋର୍ଟ ନିର୍ଦ୍ଦେଶ ଅମାନ୍ୟ କଲେ ସରକାରୀ କର୍ମଚାରୀଙ୍କ ଦରମାରୁ କଟିବ ଭରଣପୋଷଣ ଟଙ୍କା- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପତ୍ନୀ ଓ ପିଲାଙ୍କ ଭରଣପୋଷଣ ନେଇ ଅଦାଲତଙ୍କ ନିର୍ଦ୍ଦେଶକୁ ଅଣଦେଖା କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି କଡ଼ା ହେବ ବ୍ୟବସ୍ଥା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଭରଣପୋଷଣ କିମ୍ବା ଛାଡ଼ପତ୍ର ସମ୍ପର୍କିତ ଆର୍ଥିକ ସହାୟତା ନଦେଲେ, ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମାରୁ ଟଙ୍କା କାଟି ପତ୍ନୀ ଓ ସନ୍ତାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।
ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହି ନିୟମ ଅନୁସାରେ, ଅଦାଲତ ପକ୍ଷରୁ ଭରଣପୋଷଣ କିମ୍ବା ଛାଡ଼ପତ୍ର ସମ୍ପର୍କିତ ଖର୍ଚ୍ଚ ପ୍ରଦାନ ପାଇଁ ନିର୍ଦ୍ଦେଶ ଥିଲେ, ସମ୍ପୃକ୍ତ ବିଭାଗର DDO (Drawing & Disbursing Officer) ଏହାକୁ କାର୍ଯ୍ୟକାରୀ କରିବେ।
ଅର୍ଥାତ୍, କୋର୍ଟଙ୍କ ଆଦେଶ ଅନୁଯାୟୀ ଆବଶ୍ୟକ ରାଶି ସରକାରୀ କର୍ମଚାରୀଙ୍କ ଦରମାରୁ କାଟି ହକ୍ଦାର ପତ୍ନୀ କିମ୍ବା ସନ୍ତାନଙ୍କ ଖାତାକୁ ପଠାଯିବ। ଏହା ଫଳରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ନଜରଦାରି ଓ କାର୍ଯ୍ୟାନୁଷ୍ଠାନ ଅଧିକ ସୁଦୃଢ଼ ହେବ।
ସରକାର ଆଗାମୀ ଦିନରେ ଭରଣପୋଷଣ ସମ୍ପର୍କିତ ଅଦାଲତୀ ନିର୍ଦ୍ଦେଶକୁ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ HRMS (Human Resource Management System) ବ୍ୟବସ୍ଥା ସହ ଯୋଡ଼ିବାକୁ ଯୋଜନା କରିଛନ୍ତି। ଏହା ଦ୍ୱାରା ଦରମାରୁ ଟଙ୍କା କାଟିବା ଏବଂ ଭରଣପୋଷଣ ରାଶି ପ୍ରଦାନ ପ୍ରକ୍ରିୟା ଆହୁରି ସହଜ ଓ ସ୍ୱୟଂଚାଳିତ ହୋଇପାରିବ।
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଅଦାଲତଙ୍କ ଆଦେଶର ସଠିକ୍ ଅନୁପାଳନ ସୁନିଶ୍ଚିତ ହେବା ସହ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଭରଣପୋଷଣ ପାଇବାରୁ ବଞ୍ଚିତ ମହିଳା ଓ ସନ୍ତାନମାନେ ସମୟରେ ଆର୍ଥିକ ସହାୟତା ପାଇପାରିବେ।



