ଗଣେଶପୂଜାର ପ୍ରସ୍ତୁତି ବୈଠକ: ଭସାଣୀରେ ଭାଗନେବେ ୩୪ମେଢ଼
ତାଳଚେର ୦୭/୦୯ ତାଳଚେରର ପ୍ରସିଦ୍ଧ ଗଣେଶପୂଜା ଆଉ ମାତ୍ର ୭ଦିନ ବାକି ରହିଛି । ଏହି ଅବସରରେ ଆଜି ସ୍ଥାନୀୟ ଦେଉଳବେଡ଼ା କୋଲିୟରୀ ଡ଼ିସିଆଇ କ୍ଲବରେ କେନ୍ଦ୍ରୀୟ ଗଣେପୂଜା କମିଟିର ସଭାପତି ତଥା ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏହାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ବ୍ରଜକିଶୋର ପ୍ରଧାନ, ଏସଡ଼ିପିଓ ଭରତଚନ୍ଦ୍ର ସାହୁ, କେନ୍ଦ୍ରୀୟ ଗଣେଶପୂଜା କମିଟି ସାଧାରଣ ସମ୍ପାଦକ ଜିତେନ୍ଦ୍ର ଦାସ ଯୋଗଦେଇ ପୂଜା ଓ ଭସାଣୀରେ କିପରି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ତା’ଉପରେ ଗୁରୁତ୍ୱାରୋପ କରିଥିଲେ ଓ ବିଭିନ୍ନ ସବକମିଟି କରାଯାଇ ତାର ଘୋଷଣା କରାଯାଇଥିଲା । ଭସାଣି ପୂର୍ବଦିନ ୨୫ତାରିଖ ଅପରାହ୍ଣରେ ୪ଟନ ଓଜନ ବିଶିଷ୍ଟ ଆଜ୍ଞାଲଡ଼ୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସ୍ଥିରିକୃତ ହୋଇଥିଲା । ଭସାଣୀ ଶୋଭାଯାତ୍ରା ଦିନ ମେଢ଼ ଗୁଡ଼ିକ ବଡ଼ଦାଣ୍ଡସାହିରେ ଏକତ୍ରିତ ହେବାପରେ ଶାନ୍ତିଶୃଙ୍ଖଳାର ସହ କ୍ରମାନ୍ୱୟରେ ଯିବେ ବୋଲି ନିଷ୍ପତି ହୋଇଥିଲା । ୫୦ରୁ ଉର୍ଦ୍ଧ୍ୱ ମେଢ଼ ପ୍ରତିଦ୍ୱିତା ମୂଳକ କେନ୍ଦ୍ରୀୟ କମିଟି ପାଖରେ ନିଜର ପୂଜାମଣ୍ଡପର ନାମକୁ ପଞ୍ଜିକୃତ କରିଥିବା ବେଳେ ଏଥର ‘କ’ ବିଭାଗର ୯ଟି ମେଢ଼ ଓ ବାକି ‘ଖ’ ବିଭାଗର ମେଢ଼ ଗୁଡ଼ିକ ଭସାଣୀ ଉତ୍ସବରେ ସମୁଦାୟ ୩୪ଟି ମେଢ଼ ସାମିଲ ହେବେ । ଭସାଣୀରେ ଡ଼ିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ସାଉଣ୍ଡ ସିଷ୍ଟମ ଛାଡ଼ି ସର୍ବାଧିକ ୫ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇ ପାରିବ । ପୂଜାକମିଟିର ସାଧାରଣ ସମ୍ପାଦକ ଶ୍ରୀ ଦାସ ମଂଚ ପରିଚାଳନା କରିଥିବା ବେଳେ ଉପସଭାପତି କେଶବ ଭୂତିଆ, ପ୍ରଭାତ ପଟ୍ଟନାୟକ, କୋଷାଧ୍ୟକ୍ଷ ଋଷିକେଶ ସାହୁ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ରହି ଅନେକ ସୂଚନା ପ୍ରଦାନ କରିଥିଲା ।

September 8, 2026/
No Comments


