ଶ୍ରୀକୃଷ୍ଣଙ୍କ ବେଶରେ ଗଣେଶ, ପାଖରେ ସୁଦାମା ! ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି, ଚର୍ଚ୍ଚାରେ ବ୍ଲୁ ଷ୍ଟାର କ୍ଲବ୍

ଢେଙ୍କାନାଳ ନୂଆପୋଖରୀସ୍ଥିତ ବ୍ଲୁ ଷ୍ଟାର କ୍ଲବ୍ରେ ଗଣେଶ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ନିଆରା ଡିଜାଇନ୍ରେ ନିର୍ମାଣ ହେଉଛି ଗଣେଶ ମୂର୍ତ୍ତି।
ପୌରାଣିକ ପରମ୍ପରାକୁ ଆଧାର କରି ଏଥର ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ୱର କାହାଣୀକୁ ମୂର୍ତ୍ତି ମାଧ୍ୟମରେ ଉପସ୍ଥାପନ କରାଯାଉଛି। ଶ୍ରୀକୃଷ୍ଣଙ୍କ ବେଶରେ ଗଣେଶ ମହାପ୍ରଭୁ ଥିବା ବେଳେ, ପାର୍ଶ୍ୱରେ ରହିଛନ୍ତି ସୁଦାମା। କୃଷ୍ଣଙ୍କୁ ଭେଟିବା ପାଇଁ ସୁଦାମାଙ୍କ ଆଗମନ ଓ ଦୁଇ ବନ୍ଧୁଙ୍କ ଭାବନାକୁ ନିଆରା ଢଙ୍ଗରେ ଦର୍ଶାଯାଇଛି।
ଆଜିର ପିଢ଼ିକୁ ପୌରାଣିକ କାହାଣୀ ଓ ପରମ୍ପରା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଏଭଳି ନିଆରା ମୂର୍ତ୍ତି ତିଆରି କରାଯାଉଥିବା କହିଛନ୍ତି କ୍ଲବ୍ର ସଭାପତି ବାଦଲ କୁମାର ପାତ୍ର।
ଇତିମଧ୍ୟରେ ମୂର୍ତ୍ତି ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ। ଆସନ୍ତା ସୋମବାରଠାରୁ ବିଧିବିଧାନ ଅନୁସାରେ ପୂଜା ପାଇବେ ଗଣେଶ ମହାପ୍ରଭୁ। ଏହି ନିଆରା ମୂର୍ତ୍ତି ଦର୍ଶକଙ୍କ ମନ ଜିଣିବ ବୋଲି ଆଶା ରଖିଛି ବ୍ଲୁ ଷ୍ଟାର କ୍ଲବ୍।



