
ଜିଲ୍ଲା ବିକାଶ ସମନ୍ବୟ ଓ ତଦାରଖ କମିଟି ‘ଦିଶା’ ବୈଠକ ଅନୁଷ୍ଠିତ।
ବିକାଶମୂଳକ ଯୋଜନାର ସମୀକ୍ଷା ସହ ଯୋଗାଯୋଗ ଓ ପୋଷଣ ଉପରେ ବିଶେଷ ଗୁରୁତ୍ବ ।
ଅନୁଗୋଳ,ତା.୧୦.୦୯:- ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପରିଷଦ ଦ୍ବାରା ଜିଲ୍ଲା ବିକାଶ ସମନ୍ବୟ ଓ ତଦାରଖ କମିଟି (ଦିଶା ) ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ସମସ୍ତଙ୍କୁ ସ୍ବାଗତ କରିଥିଲେ । ଜିଲ୍ଲାର ସମାନ୍ତରାଳ ବିକାଶ, ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ଭିତ୍ତଭୂମିର ସୁଦୃଢୀକରଣ ଊପରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣକୁ ଏକ ସାଧାରଣ ସାମାଜିକ ଅଭ୍ୟାସରେ ପରିଣତ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମାନ୍ୟବର ସାଂସଦ ପରାମର୍ଶ ଦେଇଥିଲେ । ବିଶେଷକରି ପର୍ବପର୍ବାଣୀରେ ଅଙ୍ଗନଓ୍ବାଡି ଓ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଶିଶୁମାନଙ୍କୁ ‘ରାଗି ଲଡୁ ‘ ବଣ୍ଟନ ଊପରେ ଗୁରୁତ୍ବ ଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ସେହିଭଳି ପୋଷଣ ମାସରେ ପୋଷଣଯୁକ୍ତ ଖାଦ୍ୟ ବ୍ୟବହାରକୁ ତ୍ବରାନ୍ବିତ କରି ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଓ ସ୍ୱାସ୍ଥ୍ୟକୁ ସୁଦୃଢ କରିବାକୁ କହିଥିଲେ । ଦୁର୍ଗମ ଅଞ୍ଚଳରେ ଯେପରି ନେଟୱାର୍କ ସମସ୍ୟା ନ ରୁହେ ସେଥୁପାଇଁ ଅଧିକ ଟାୱାର ସ୍ଥାପନ କରିବା ସହ ବିଜୁଳି ସମସ୍ୟାକୁ ଦୂର କରିବା ଊପରେ ର୍ବ ଶେଷ ଗୁରୁତ୍ୱ ଦେବାକୁ କହିଥିଲେ । ଜାତୀୟ ରାଜପଥ ପ୍ରାଧୁକରଣ ଅଧୀନରେ ଥିବା ରାସ୍ତାଘାଟର ପ୍ରଶସ୍ତୀକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ରେଳ ପ୍ରକଳ୍ପ ସଂପ୍ରସାରଣ ଓ ଉତ୍ତମ ଯୋଗାଯୋଗ ମାଧ୍ୟମରେ ଜିଲ୍ଲାକୁ ଏକ ‘ଇକୋନୋମିକ୍ ହବ୍’ ଭାବେ ଗଢି ତୋଳିବାକୁ ମାନ୍ୟବର ସାଂସଦ ବିଶେଷ ଗୁରୁତ୍ବ ଦେଇଥିଲେ । ଏହା ସହ ସ୍ବାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା,ଦକ୍ଷତା ବିକାଶ, ରେଲୱେ, ବିଦ୍ୟୁତ୍, ଟେଲି ଯୋଗାଯୋଗ ଆଦି ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ମାନ୍ୟବର ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ସ୍ବତନ୍ତ୍ର ସମନ୍ବୟ ବୋର୍ଡର ଅଧକ୍ଷ୍ୟ ଶ୍ରୀ ବଶିଷ୍ଠ ନାୟକ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଊତ୍ତର କେନ୍ଦ୍ରଚଳ ଡି ଆଇ ଜି ଶ୍ରୀ ଆଶିଷ କୁମାର ସିଂହ, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଆଇଏ ଏସ୍ ପ୍ରୋବେସନର ଅଭି ଜୈନ୍, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧୋକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ, ଉପଜିଲ୍ଲାପାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଊପସ୍ଥିତ ଥିଲେ ।
ପୂର୍ବାହ୍ନରେ ମାନ୍ୟବର ସମ୍ବଲପୁର ସାଂସଦ ଅମଲାପଡା ଠାରେ ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟର ଶୁଭ ଊଦଘାଟନ କରିବା ସହ ସରକାରୀ ପଲିଟେକ୍ନିକ୍ କ୍ୟାମ୍ପସରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲର ଶୁଭାରମ୍ଭ କରିଥିଲେ ।




