ସ୍ୱଚ୍ଛ ବାୟୁରେ ଓଡ଼ିଶାର ଦବଦବା: ରାଉରକେଲା କଳିଙ୍ଗନଗର ଦେଶରେ ଶୀର୍ଷରେ, ଦୁଇରେ ଅନୁଗୋଳ ଓ ତା ପଛକୁ ତାଳଚେର
ଭୁବନେଶ୍ୱର: ସ୍ୱଚ୍ଛ ବାୟୁମଣ୍ଡଳ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା। ଦେଶର ସହରାଞ୍ଚଳର ବାୟୁଗୁଣବତ୍ତାକୁ ନେଇ ପ୍ରକାଶିତ ସର୍ଭେ ରିପୋର୍ଟରେ ଓଡ଼ିଶାର ଏକାଧିକ ସହର ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
୩ରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗର ସହରଗୁଡ଼ିକ ମଧ୍ୟରେ ରାଉରକେଲା ଦେଶର ସବୁଠାରୁ ସ୍ୱଚ୍ଛ ବାୟୁ ଥିବା ସହର ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି। ରାଉରକେଲା ମୋଟ ୧୯୮.୫ ପଏଣ୍ଟ ହାସଲ କରି ଏହି ସଫଳତା ପାଇଛି। ଏହା ପଛକୁ ଉତ୍ତରପ୍ରଦେଶର ଫିରୋଜାବାଦ ଦ୍ୱିତୀୟ ଏବଂ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ତୃତୀୟ ସ୍ଥାନରେ ରହିଛି।
ସେହିପରି ୩ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗର ସହର ମଧ୍ୟରେ ଓଡ଼ିଶାର କଳିଙ୍ଗନଗର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ୧୯୮.୫ ପଏଣ୍ଟ ସହ କଳିଙ୍ଗନଗର ଶୀର୍ଷରେ ଥିବା ବେଳେ ଏହି ବର୍ଗରେ ଅନୁଗୁଳ ୧୯୬.୫ ପଏଣ୍ଟ ସହ ଦ୍ୱିତୀୟ ଏବଂ ତାଳଚେର ୧୯୩.୫ ପଏଣ୍ଟ ସହ ତୃତୀୟ ସ୍ଥାନ ଦଖଲ କରିଛି।
ବୁଧବାର ପ୍ରକାଶିତ ସହରାଞ୍ଚଳ ସ୍ୱଚ୍ଛ ବାୟୁ ସର୍ଭେ ରିପୋର୍ଟରେ ଦେଶର ସହରଗୁଡ଼ିକୁ ଜନସଂଖ୍ୟା ଆଧାରରେ ତିନୋଟି ବର୍ଗରେ ବିଭକ୍ତ କରାଯାଇ ସର୍ଭେ କରାଯାଇଥିଲା। ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରକୁ ବଡ଼ ସହର, ୩ରୁ ୧୦ ଲକ୍ଷ ଜନସଂଖ୍ୟା ଥିବା ସହରକୁ ମଧ୍ୟମ ସହର ଏବଂ ୩ ଲକ୍ଷରୁ କମ୍ ଜନସଂଖ୍ୟା ଥିବା ସହରକୁ କ୍ଷୁଦ୍ର ସହର ବର୍ଗରେ ରଖାଯାଇଥିଲା।
୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ୧୯୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ମଧ୍ୟପ୍ରଦେଶର ଇନ୍ଦୋର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଦିଲ୍ଲୀ ୨୧ତମ ସ୍ଥାନରେ ରହିଛି।
ସ୍ୱଚ୍ଛ ବାୟୁ ସର୍ଭେରେ ଓଡ଼ିଶାର ଏକାଧିକ ସହର ଶ୍ରେଷ୍ଠ ସ୍ଥାନ ହାସଲ କରିବା ରାଜ୍ୟ ପାଇଁ ଗୌରବର ବିଷୟ ହୋଇଛି। ବିଶେଷକରି ଶିଳ୍ପାଞ୍ଚଳ ଭାବେ ପରିଚିତ ରାଉରକେଲା, କଳିଙ୍ଗନଗର, ଅନୁଗୁଳ ଓ ତାଳଚେରର ଏହି ସଫଳତା ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ୱ ବହନ କରୁଛି।



