ସୁଧାକର ସାମନ୍ତସିଂହାର ହାଇସ୍କୁଲ ଓ ପଞ୍ଚଗଡ ବିଜୟ କୁମାର ହାଇସ୍କୁଲରେ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମ

ମେରାମଣ୍ଡଳୀ, ୧୧/୦୯/୨୦୨୬: ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନ ପଠାଣୀ ସାମନ୍ତ ପ୍ଲାନେଟୋରିୟ୍ମ, ଭୁବନେଶ୍ୱର ସହଯୋଗିତାରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ)ର ୨୦ତମ ସଂସ୍କରଣର ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ସୁଧାକର ସାମନ୍ତସିଂହାର ହାଇସ୍କୁଲ, କୁରୁଣ୍ଟି ଓ ପଞ୍ଚଗଡ ବିଜୟ କୁମାର ହାଇସ୍କୁଲ, ବଅଁରପାଳରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ସ୍କୁଲ ପିଲାମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନକୁ ନେଇ ଆଗ୍ରହ ଓ ଅନ୍ୱେଷଣକୁ ନେଇ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ୬ଷ୍ଠରୁ ଦଶମ ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।


ଏହି କାର୍ଯ୍ୟକ୍ରମରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବହୁବିଧ ପସନ୍ଦର ପ୍ରଶ୍ନ (ଏମ୍ସିକ୍ୟୁ) ପରୀକ୍ଷା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଠି ଛାତ୍ରଛାତ୍ରୀମାନଙ୍କୁ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ଉପରେ ସେମାନଙ୍କ ଜ୍ଞାନ ଅନ୍ୱେଷଣ ଓ ପ୍ରଦର୍ଶନ କରିବାର ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା।
ସୁଧାକର ସାମନ୍ତସିଂହାର ହାଇସ୍କୁଲ କାର୍ଯ୍ୟକ୍ରମରେ ସମୀକ୍ଷା ଖବର କାଗଜ ରିପୋର୍ଟର ଯଶୋବନ୍ତ ରଞ୍ଜିତ ରାୟ ଓ ମିଡ଼ିଆ ଏଜ ରିପୋର୍ଟର ସଞ୍ଜୟ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଟାଟା ଷ୍ଟିଲ୍ର ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ପଞ୍ଚଗଡ ବିଜୟ କୁମାର ହାଇସ୍କୁଲରେ ଆୟୋଜିତ ୟାଟ୍ସ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକଙ୍କ ସମେତ ସକାଳ ରିପୋର୍ଟର ଅକ୍ଷୟ ମହାପାତ୍ର ରିପୋର୍ଟର ଅତିଥିଭାବେ ଯୋଗଦେଇଥିଲେ।
ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯେଉଁ ଅଂଚଳରେ କାର୍ଯ୍ୟକ୍ରମ ଆୟୋଜନ ହେଉନାହିଁ, ସେଠାକାର ପିଲାମାନେ ଅଫିସିଆଲ ୱେବସାଇଟ୍- https://www.bit.ly/YATS2026 ରେ ପଞ୍ଜୀକରଣ କରି ଅନଲାଇନ୍ରେ ଭାଗ ନେଇପାରିବେ। ପ୍ରତିବର୍ଷ ବିଜୟୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଦର୍ଶନ କରିବାର ସୁଯୋଗ ମିଳୁଥିବା ବେଳେ ସେମାନେ ମହକାଶ ବିଜ୍ଞାନ କ୍ଷେତ୍ରରେ ହେଉଥିବା ଅଗ୍ରଗତିକୁ ସମ୍ପର୍କରେ ବିଶିଷ୍ଟ ବୈଜ୍ଞାନିକ ମାନଙ୍କଠାରୁ ବୁଝିପାରୁଛନ୍ତି।
ଚଳିତ ବଷ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ)ର ୨୦ତମ ସଂସ୍କରଣର ଥିମ୍ ରହିଛି ‘ଇଣ୍ଡିଆଜ୍ ନେକ୍ସଟ୍ ଗଗନଟ୍’ ଆଗାମୀ ପିଢ଼ିର ମହାକାଶଚାରୀଙ୍କୁ ପ୍ରେରଣା ଯୋଗାଇବାର ପ୍ରୟାସ।

ସୂଚନାଥାଉ କି, ୧୯ତମ ସଂସ୍କରଣର ବିଜେତାମାନେ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାୱନ୍ ସ୍ପେସ୍ ସେଣ୍ଟର୍ ପରିଭ୍ରମଣ କରିବାର ସୁଯୋଗ ପାଇଥିଲେ। ଏବେସୁଦ୍ଧା ରାଜ୍ୟର ୫.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୟାଟ୍ସ କାର୍ଯ୍ୟକ୍ରମରେ ସହ ଯୋଡ଼ି ହୋଇଥିବା ବେଳେ ୨୬୦ ଜଣ ପ୍ରତିଭାବାନ୍ ଛାତ୍ରଛାତ୍ରୀମାନେ ଇସ୍ରୋର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ଭାରତର ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇଛନ୍ତି।




