ତୁଳସୀପାଳରେ ଆଧ୍ୟାତ୍ମିକ ଉଲ୍ଲାସ: ମା’ ମହାପାଟ୍ ଦେବୀଙ୍କ ବାର୍ଷିକ ପୂଜା ଅନୁଷ୍ଠିତ, ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ
ବଅଁରପାଳ (ଜାଗ୍ରତ ଭାରତ ନ୍ୟୁଜ୍):
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ତୁଳସୀପାଳ ଗ୍ରାମସ୍ଥିତ ଫଟାକାଞ୍ଚିଆ ପୀଠରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ମହାପାଟ୍ଙ୍କ ବାର୍ଷିକ ପୂଜୋତ୍ସବ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ପାର୍ବଣ ଅବସରରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।
ପ୍ରତ୍ୟୁଷରୁ ଦେହୁରୀ ରଞ୍ଜନ ଗଡ଼ନାୟକ ଏବଂ ବେଲପତରିଆ ପବିତ୍ର ବିଶ୍ୱାଳ ତୁଳସୀପାଳ ଗ୍ରାମସ୍ଥିତ ଆଲମ ଘରେ ମା’ଙ୍କ ରୀତିନୀତି ସମ୍ପନ୍ନ କରି ନୂତନ ବସ୍ତ୍ର ପରିଧାନ କରାଇ ପୂଜାର୍ଚ୍ଚନା କରିଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ତୁଳସୀପାଳ ଓ ଗଡ଼ସନ୍ତ୍ରୀ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏକ ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ଗ୍ରାମ ପରିକ୍ରମା କରାଯାଇ ଫଟାକାଞ୍ଚିଆ ପୀଠକୁ ଅଣାଯାଇଥିଲା। ପରିକ୍ରମା ବେଳେ ଗ୍ରାମର ମହିଳାମାନେ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ଓ ଘଟ ସ୍ଥାପନ କରି ମା’ଙ୍କୁ ଭକ୍ତିଭାବେ ବନ୍ଦାପନା କରିଥିଲେ। ପୀଠରେ ପହଞ୍ଚିବା ପରେ ସେଠାରେ ଦେବୀଙ୍କ ମୁଖ୍ୟ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସମ୍ପନ୍ନ ହୋଇଥିଲା।
ଏହି ଯାତ୍ରା ଉପଲକ୍ଷେ ପଡ଼ିଆରେ ନାନାଦି ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାର ବସିଥିବା ବେଳେ ଲକ୍ଷ୍ମୀଆବେତା, ଗାଡ଼ରଖାଇ, ବନ୍ଦା, ଝିରିରାବାହାଲ, କଙ୍କିନାଳୀ, ଅରାହାଟ ତଥା ବଅଁରପାଳ ସମେତ ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ଭିଡ଼ ଜମିଥିଲା। ‘ଶେଷ ଜୀବନ ସାଥୀ’ ସଙ୍ଗଠନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବିତରଣ କରାଯାଇଥିଲା।
ଏହି ପୂଜା ପରିଚାଳନାରେ କମିଟି ସଭାପତି ଲୋକନାଥ ମାଝୀ, ସମ୍ପାଦକ ଭଜମନ ମହାନ୍ତି, ଟ୍ରଷ୍ଟ ବୋର୍ଡ଼ ସଭାପତି ସୁନୀଲ କୁମାର ମାଝୀ, ବାଉରୀ ବନ୍ଧୁ ସାହୁ, ବସନ୍ତ ବିଶ୍ୱାଳ, ଦାଶରଥୀ ପାଳକ, ଅରୁଣ ସାହୁ, ଗିରୀଶ ବିଶ୍ୱାଳ, ମନୋଜ ସାହୁ, ବିଦ୍ୟୁତ ବେହେରା, ଧୀରେନ ଗଡ଼ନାୟକ, ନିମାଇଁ ଚରଣ ସାହୁ, ମିହିର ଗଡ଼ନାୟକ, ବିନୋଦ କୁମାର ମାଝୀ ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।
ଅପରାହ୍ନରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣାଭ ସିଂହ, ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ଓଡ଼ିଶା ପିସିସି କାର୍ଯ୍ୟକାରିଣୀ ସଦସ୍ୟ ଅମ୍ବିକା ଭଟ୍ଟ, ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ, ଗଡ଼ସନ୍ତ୍ରୀ ସରପଞ୍ଚ ଟଙ୍କଧର ବେହେରା, ତୁଳସୀପାଳ ସରପଞ୍ଚ ସୁନୀତା ସେଠୀ, ବନ୍ଦା ସରପଞ୍ଚ ନକୁଳ କୁମାର ସାହୁ, ସାମାଜିକ କର୍ମୀ ଅଶୋକ କୁମାର ଥାଟ୍ଟ ଏବଂ ଏସ୍ସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

September 14, 2026/
No Comments


