ମୋଦୀଙ୍କ ୭୬ତମ ଜନ୍ମଦିନରେ ‘ସେବା ସଂକଳ୍ପ’ ଅଭିଯାନ, ମାସେ ବ୍ୟାପି ଚାଲିବ ବିଭିନ୍ନ ସେବା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୭/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ ହୋଇଛି ‘ସେବା ସଂକଳ୍ପ ଅଭିଯାନ’। ଆଜିଠାରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଦେଶବ୍ୟାପୀ ଭାବେ ଏହି ଅଭିଯାନ ଚାଲିବ। ମୋଦୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତିକୁ ଉତ୍ସର୍ଗ କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଅଭିଯାନ ଅଧୀନରେ ମଣ୍ଡଳ, ବୁଥ୍ ଓ ଜିଲ୍ଲାସ୍ତରରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବ। ଓଡ଼ିଶାର ବିଭିନ୍ନ ସ୍କୁଲରେ ‘ମୋ ସ୍ୱପ୍ନର ଭାରତ’ ଶୀର୍ଷକରେ ଚିତ୍ରାଙ୍କନ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ହେବାକୁ ଥିବାବେଳେ ଅଙ୍ଗନୱାଡ଼ି କେନ୍ଦ୍ରରେ ‘ଅଙ୍ଗନ ମିଳନ ସେବା’ ଆୟୋଜିତ ହେବ।
ଏହାସହ ରକ୍ତଦାନ ଶିବିର, ବୃକ୍ଷରୋପଣ ଓ ସ୍ୱଚ୍ଛତା ଅଭିଯାନ ଭଳି ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯିବ।
ଅନ୍ୟପକ୍ଷରେ, ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ‘ଆଶୀର୍ବାଦ କା ଦିୟା’ ଜାଳିବାକୁ ଆହ୍ୱାନ ଦେଇଛନ୍ତି। ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକମାନେ ନିଜ ଘର, ମନ୍ଦିର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ। ଏଥିସହ ଦୀପ ଜାଳିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବାକୁ ସେ ଅପିଲ କରିଛନ୍ତି।



