ମଧ୍ୟପ୍ରଦେଶରେ ଭୟାବହ ଅଘଟଣ: କାର୍ ଭାସି ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ
ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ଝରଣାରେ ବଢ଼ିଥିବା ପାଣି ପାର୍ ହେବାକୁ ଯାଇ ଏକ କାର୍ ଭାସିଯିବାରୁ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବମାନେ ମିଶି ମଧ୍ୟପ୍ରଦେଶ ବୁଲିବାକୁ ଯାଇଥିଲେ। ଉଜ୍ଜୟିନୀରୁ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ସେମାନେ କାର୍ ଯୋଗେ ଯାତ୍ରା କରୁଥିଲେ। ଏହି ସମୟରେ ଅଗର ମାଲୱା ଜିଲ୍ଲାର ନଲଖେଡ଼ା ଅଞ୍ଚଳର ଏକ ଝରଣା ନିକଟରେ ଅଘଟଣ ଘଟିଥିଲା।
ଝରଣାରେ ବଢ଼ି ପାଣି ଥିବା ସତ୍ତ୍ୱେ ତାହାକୁ କାର୍ ଯୋଗେ ପାର୍ ହେବାକୁ ଉଦ୍ୟମ କରାଯାଇଥିବା ବେଳେ ପ୍ରବଳ ଜଳସ୍ରୋତରେ କାର୍ଟି ଭାସିଯାଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଛି।
ଘଟଣାରେ ଏକ ପରିବାରର ପୁଅ, ଝିଅ, ଜ୍ୱାଇଁ, ନାତି ଓ ନାତୁଣୀଙ୍କ ସମେତ ଅନ୍ୟ ଜଣେ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିଶେଷକରି, ମୃତ ଅବିବାହିତ ଝିଅଙ୍କର ଆଉ କିଛି ଦିନ ପରେ ରିଙ୍ଗ୍ ସେରିମନି ହେବାର ଥିଲା। ଏହି ଅଘଟଣ ସମଗ୍ର ପରିବାର ଓ ପରିଜନଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଛି।
ଏହି ଦୁଃଖଦ ଘଟଣାକୁ ନେଇ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।



