ମଧ୍ୟପ୍ରଦେଶ ଦୁର୍ଘଟଣା: ବିମାନରେ ଓଡ଼ିଶା ଆସିବ ୭ ମୃତଦେହ, ସରକାର ବହନ କରିବ ସମସ୍ତ ଖର୍ଚ୍ଚ
ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ମୃତଦେହ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ବିମାନ ଯୋଗେ ଓଡ଼ିଶା ଅଣାଯିବ। ଏଥିପାଇଁ ହେବାକୁ ଥିବା ସମସ୍ତ ବିମାନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ମୃତକଙ୍କ ପରିବାରବର୍ଗଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବା ସହ ସେମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି। ମୃତଦେହଗୁଡ଼ିକୁ ସସମ୍ମାନରେ ଓଡ଼ିଶା ଫେରାଇ ଆଣିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି।
୭ ଓଡ଼ିଆଙ୍କ ମୃତ୍ୟୁରେ ନବୀନଙ୍କ ଶୋକ
ମଧ୍ୟପ୍ରଦେଶରେ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ଅକାଳ ମୃତ୍ୟୁରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ମୃତକମାନଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତଦେହ ଫେରାଇବାକୁ ନିର୍ଦ୍ଦେଶ
ଅନ୍ୟପଟେ, ମଧ୍ୟପ୍ରଦେଶରେ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି।
ଘଟଣା ପରେ ମଧ୍ୟପ୍ରଦେଶର ସ୍ଥାନୀୟ ପ୍ରଶାସନ ସହ ଆବଶ୍ୟକ ସମନ୍ୱୟ ରକ୍ଷା କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହ ମୃତକଙ୍କ ପାର୍ଥିବ ଶରୀରକୁ ସସମ୍ମାନରେ ଓଡ଼ିଶା ଫେରାଇ ଆଣିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।



