୨୦ତମ ରୋଜଗାର ମେଳା: ୫୧ ହଜାରରୁ ଅଧିକ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ୨୦ତମ ରୋଜଗାର ମେଳା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବା ସହ ସେମାନଙ୍କୁ ସମ୍ବୋଧିତ କରିଛନ୍ତି। ଦେଶବ୍ୟାପୀ ୪୫ଟି ସ୍ଥାନରେ ଏକାସାଙ୍ଗରେ ଏହି ରୋଜଗାର ମେଳା ଆୟୋଜିତ ହୋଇଥିଲା।
ଏହି ପର୍ଯ୍ୟାୟ ସହ ରୋଜଗାର ମେଳା ମାଧ୍ୟମରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ ଓ ସରକାରୀ ସଂଗଠନରେ ନିଯୁକ୍ତିପତ୍ର ପାଇଥିବା ଯୁବକ-ଯୁବତୀଙ୍କ ସଂଖ୍ୟା ପ୍ରାୟ ୧୨.୭୫ ଲକ୍ଷରେ ପହଞ୍ଚିଛି।
ଓଡ଼ିଶାର କଟକ ଓ ଭୁବନେଶ୍ୱରରେ ରୋଜଗାର ମେଳା
ଦେଶବ୍ୟାପୀ କାର୍ଯ୍ୟକ୍ରମର ଅଂଶ ଭାବେ ଓଡ଼ିଶାର କଟକ ଓ ଭୁବନେଶ୍ୱରରେ ଦୁଇଟି ରୋଜଗାର ମେଳା ଆୟୋଜିତ ହୋଇଛି। କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ରେଭେନ୍ସା କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଛନ୍ତି।
ସେହିପରି ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାଶୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।
ଭୁବନେଶ୍ୱର କାର୍ଯ୍ୟକ୍ରମରେ ୧୬୧ ନବନିଯୁକ୍ତ
ଭୁବନେଶ୍ୱର ରୋଜଗାର ମେଳାରେ ବିଭିନ୍ନ କେନ୍ଦ୍ରୀୟ ସରକାରୀ ବିଭାଗରୁ ମୋଟ ୧୬୧ ଜଣ ନବନିଯୁକ୍ତ ପ୍ରାର୍ଥୀ ଅଂଶଗ୍ରହଣ କରିଛନ୍ତି। ଏଥିରେ ରେଳବାଇରୁ ୩୭ ଜଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ/ଏମ୍ସରୁ ୪୧, ଡାକ ବିଭାଗରୁ ୩୦, ଭୁବନେଶ୍ୱର CGSTରୁ ୨୨ ଓ ଆୟକର ବିଭାଗରୁ ୧୦ ଜଣ ରହିଛନ୍ତି।
ଏହାବ୍ୟତୀତ ESIC ଓଡ଼ିଶାରୁ ୮, ଜଳଶକ୍ତି ମନ୍ତ୍ରଣାଳୟ/କେନ୍ଦ୍ରୀୟ ଭୂଜଳ ବୋର୍ଡରୁ ୪, ଆର୍ଥିକ ସେବା ବିଭାଗରୁ ୩, CISFରୁ ୨, ଶିକ୍ଷା ମନ୍ତ୍ରଣାଳୟରୁ ୨ ଏବଂ ପ୍ରତିରକ୍ଷା ଲେଖା ବିଭାଗ ଓ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟରୁ ଜଣେ ଲେଖାଏଁ ନବନିଯୁକ୍ତ ରହିଛନ୍ତି।
କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ସ୍ଥାନୀୟ ମୁଖ୍ୟ ଅତିଥିମାନେ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଔପଚାରିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।



