ଅକ୍ଟୋବରରୁ DDU-GKY 2.0ର ପ୍ରଶିକ୍ଷଣ ବ୍ୟାଚ୍ ଆରମ୍ଭ, ୩୪,୯୨୦ ଗ୍ରାମୀଣ ଯୁବକ-ଯୁବତୀ ପାଇବେ ତାଲିମ
ନୂଆଦିଲ୍ଲୀ, ୧୯/୦୯: ଗ୍ରାମୀଣ ଯୁବକ-ଯୁବତୀଙ୍କୁ ନିଯୁକ୍ତିଭିତ୍ତିକ ଦକ୍ଷତା ପ୍ରଶିକ୍ଷଣ ଦେବା ଲକ୍ଷ୍ୟରେ ଦୀନଦୟାଲ ଉପାଧ୍ୟାୟ–ଗ୍ରାମୀଣ କୌଶଲ୍ୟ ଯୋଜନା (DDU-GKY) ୨.୦ ଅଧୀନରେ ଅକ୍ଟୋବର ୨୦୨୬ରୁ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶିକ୍ଷଣ ବ୍ୟାଚ୍ ଆରମ୍ଭ ହେବ।
ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶିକ୍ଷଣ ଆରମ୍ଭ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଏହି ତାଲିକାରେ ମିଜୋରାମ, ସିକ୍କିମ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ତାମିଲନାଡୁ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପୁଡୁଚେରୀ, କର୍ଣ୍ଣାଟକ, ତେଲେଙ୍ଗାନା ଓ ବିହାର ମଧ୍ୟ ରହିଛି।
ଏହି ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅକ୍ଟୋବରରୁ ୧,୧୬୪ଟି ପ୍ରଶିକ୍ଷଣ ବ୍ୟାଚ୍ରେ ୩୪,୯୨୦ ଜଣ ଗ୍ରାମୀଣ ଯୁବକ-ଯୁବତୀ ଦକ୍ଷତା ପ୍ରଶିକ୍ଷଣ ନେବେ। ଡିସେମ୍ବର ୩୧, ୨୦୨୭ ସୁଦ୍ଧା ଏହି ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩,୫୭,୧୧୨ ଜଣଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି।
DDU-GKY 2.0 ପୋର୍ଟାଲ ଅନୁଯାୟୀ, ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧,୨୦୦ରୁ ଅଧିକ ପ୍ରକଳ୍ପ ପାଇଁ ପ୍ରାୟ ୫.୬ ଲକ୍ଷ ପ୍ରଶିକ୍ଷଣ ଲକ୍ଷ୍ୟ ଆବଣ୍ଟନ କରାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ଲକ୍ଷ୍ୟ ଆବଣ୍ଟନ କରାଯାଉଛି।
ଗ୍ରାମୀଣ ଗରିବ ଯୁବକ-ଯୁବତୀଙ୍କୁ ନିଯୁକ୍ତି ସହ ଜଡ଼ିତ ଦକ୍ଷତା ପ୍ରଶିକ୍ଷଣ ଦେବା ହେଉଛି DDU-GKYର ପ୍ରମୁଖ ଉଦ୍ଦେଶ୍ୟ। ପ୍ରଶିକ୍ଷଣର ଅବଧି ୩ ମାସରୁ ୧୨ ମାସ ପର୍ଯ୍ୟନ୍ତ ରହିଥାଏ। ୨୦୨୬-୨୮ର ଦୁଇ ବର୍ଷିଆ ସମୟ ପାଇଁ ସମସ୍ତ ୩୧ଟି ଅଂଶୀଦାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଲକ୍ଷ୍ୟ ଆବଣ୍ଟନ କରାଯାଇଛି।
ପ୍ରଶିକ୍ଷଣ ଶୀଘ୍ର ଆରମ୍ଭ କରିବା ପାଇଁ ୩୧ ଅକ୍ଟୋବର ୨୦୨୬ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା (PIA)ଗୁଡ଼ିକୁ ଲକ୍ଷ୍ୟ ଆବଣ୍ଟନ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲକ୍ଷ୍ୟ PIAଗୁଡ଼ିକୁ ଆବଣ୍ଟନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଡିଜିଟାଲ ପୋର୍ଟାଲକୁ ଗୁରୁତ୍ୱ
DDU-GKY 2.0ର ଏକୀକୃତ ପୋର୍ଟାଲ ମାଧ୍ୟମରେ ପ୍ରକଳ୍ପର ସମଗ୍ର ପ୍ରକ୍ରିୟାରେ ଦକ୍ଷତା, ସ୍ୱଚ୍ଛତା ଓ ଡିଜିଟାଲ ନିରୀକ୍ଷଣ ବୃଦ୍ଧି କରାଯିବ। ଅନଲାଇନ୍ ପେମେଣ୍ଟ ସୁବିଧା ପାଇଁ ରାଜ୍ୟ କୋଷାଗାର ପୋର୍ଟାଲ ସହ ଆବଶ୍ୟକ ଏକୀକରଣ ୩୦ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ଏହାସହ PIAଗୁଡ଼ିକୁ ଡିଜିଟାଲ ପ୍ଲାଟଫର୍ମ ସମ୍ପର୍କରେ ପରିଚିତ କରାଇବା ପାଇଁ ଅକ୍ଟୋବରରେ ଶିଲଙ୍ଗ, ବିଜୟୱାଡ଼ା, ମୁମ୍ବାଇ ଓ ଧର୍ମଶାଳାରେ ହାଇବ୍ରିଡ୍ ମୋଡ୍ରେ ଆଞ୍ଚଳିକ କର୍ମଶାଳା ଆୟୋଜନ କରାଯିବ।
ପ୍ରଶିକ୍ଷଣ ବ୍ୟାଚ୍ଗୁଡ଼ିକ ଅକ୍ଟୋବରରୁ ଆରମ୍ଭ ହେବା ସହ ଯୋଜନା ଅଧୀନରେ ବ୍ୟୟ ମଧ୍ୟ ବୃଦ୍ଧି ପାଇବ ବୋଲି ସମୀକ୍ଷା ବୈଠକରେ ଆକଳନ କରାଯାଇଛି। ଗ୍ରାମୀଣ ଯୁବପିଢ଼ିଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ନିଯୁକ୍ତିଯୋଗ୍ୟ କରିବା ଦିଗରେ DDU-GKY 2.0କୁ ଆହୁରି ସୁଚାରୁ ଭାବେ କାର୍ଯ୍ୟାନ୍ୱୟନ ଉପରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି।



