ଭାରତୀୟ ନୌସେନା ପାଇଁ ପ୍ରଥମ Next Generation Missile Vesselର କିଲ୍ ଲେଇଂ ସମାରୋହ
କୋଚି, ୧୯/୦୯: ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧକ୍ଷମତା ବୃଦ୍ଧି ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। କୋଚିସ୍ଥିତ କୋଚିନ୍ ଶିପୟାର୍ଡ ଲିମିଟେଡ୍ (CSL)ରେ ଭାରତୀୟ ନୌସେନା ପାଇଁ ନିର୍ମାଣ ହେବାକୁ ଥିବା ପ୍ରଥମ **ନେକ୍ସ୍ଟ ଜେନେରେସନ୍ ମିସାଇଲ୍ ଭେସେଲ୍ (NGMV)**ର କିଲ୍-ଲେଇଂ ସମାରୋହ ଅନୁଷ୍ଠିତ ହୋଇଛି।

ସେପ୍ଟେମ୍ବର ୧୮ ତାରିଖରେ ଆୟୋଜିତ ଏହି ସମାରୋହରେ ଯୁଦ୍ଧଜାହାଜ ଉତ୍ପାଦନ ଓ ଅଧିଗ୍ରହଣ ନିୟନ୍ତ୍ରକ ଭାଇସ୍ ଆଡମିରାଲ୍ ସଞ୍ଜୟ ସାଧୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭାରତୀୟ ନୌସେନା ଏବଂ କୋଚିନ୍ ଶିପୟାର୍ଡର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, NGMV ନିର୍ମାଣ ପାଇଁ କୋଚିନ୍ ଶିପୟାର୍ଡ ସହ ଭାରତୀୟ ନୌସେନାର ଚୁକ୍ତି ମାର୍ଚ୍ଚ ୨୦୨୩ରେ ସମ୍ପାଦିତ ହୋଇଥିଲା। ଏହି ଯୁଦ୍ଧଜାହାଜଗୁଡ଼ିକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସର୍ରେ ସଜ୍ଜିତ କରାଯିବ। ଫଳରେ ଭାରତୀୟ ନୌସେନାର ‘ଭବିଷ୍ୟତ ପାଇଁ ପ୍ରସ୍ତୁତ ଓ ଯୁଦ୍ଧ ପାଇଁ ସକ୍ଷମ ବଳ’ ଗଠନ କ୍ଷମତା ଆହୁରି ବୃଦ୍ଧି ପାଇବ।
ହିନ୍ଦ ମହାସାଗର ଅଞ୍ଚଳର ଜଟିଳ ସାମୁଦ୍ରିକ ପରିବେଶରେ କାର୍ଯ୍ୟ କରିବାକୁ ସକ୍ଷମ ଆଧୁନିକ ଓ ଦୃଢ଼ ନୌସେନା ଗଠନ ଦିଗରେ ଏହି ପ୍ରକଳ୍ପ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଏହି ପ୍ରକଳ୍ପର ଆଉ ଏକ ପ୍ରମୁଖ ଦିଗ ହେଉଛି ସ୍ୱଦେଶୀ ନିର୍ମାଣ କ୍ଷମତା। ପ୍ରକଳ୍ପର ସମସ୍ତ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଉପକରଣ ଦେଶରେ ବିକଶିତ ଓ ନିର୍ମିତ ହେଉଛି। ଏହା କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଭାରତ’, ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ମେକ୍ ଫର୍ ଦ ୱାର୍ଲ୍ଡ’ ଦୃଷ୍ଟିକୋଣ ସହ ସମନ୍ୱିତ ହୋଇଛି।



