ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଓ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ ଅନୁଷ୍ଠିତ

ଅନୁଗୋଳ,୨୦.୦୯: ଆଜି ପୂର୍ବାହ୍ନରେ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ‘ମୋ ଯୁବ ଭାରତ’ ଏବଂ ଜାତୀୟ ସେବା ଯୋଜନା (NSS)ର ମିଳିତ ଆନୁକୂଲ୍ୟରେ ‘ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଓ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ ସହ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକଶିତ ଭାରତ ଗଠନରେ ନିଶାମୁକ୍ତ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସ୍କୁଲ କଲେଜରେ କିପରି ଯୁବପୀଢିଙ୍କୁ ସଚେତନ କରାଯିବ ସେ ବିଷୟରେ ମଧ୍ୟ କହିଥିଲେ। ଏହି ଅବସରରେ NSS ଓ NCC ସ୍ୱେଚ୍ଛାସେବୀଙ୍କ ଦ୍ୱାରା ନଶାମୁକ୍ତି ସଚେତନତା ନାଟକ ଓ ‘ସଂକଳ୍ପ ଚକ୍ର’ର ସାଙ୍କେତିକ ପ୍ରଦର୍ଶନୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦୀପ ଗଡ଼ନାୟକ, ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଶ୍ରୀବବଲୁ ମୁଣ୍ଡା, ଜିଲ୍ଲା ଯୁବ ଅଧିକାରୀ ପୂଜା ଯାଦବ, ସମାଜସେବୀ ଶ୍ରୀ ସୁବ୍ରତ ପ୍ରଧାନ,ଶ୍ରୀ ଭୀଷ୍ମ ସାହୁ ଓ ଶ୍ରୀ ହେମଦ୍ୟୁତି ବେହେରା ପ୍ରମୁଖ ଯୋଗ ଦେଇଥିଲେ।ମହାବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ପବିତ୍ର କୁମାର ବେହେରା ଓ ଗ୍ରନ୍ଥଗାରିକ ଶ୍ରୀ ବିଶ୍ୱଜିତ ନାୟକଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। NSS ଅଧିକାରୀ ଡ. ଗୌରୀ ଶଙ୍କର ଯୁଗ ପ୍ରକାଶ ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ‘ମୋ ଯୁବ ଭାରତ’ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ତପନ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।



