ଢେଙ୍କାନାଳ: ବିଇଓଙ୍କ ଘରୁ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ପୋଲିସ
ଢେଙ୍କାନାଳ: ଢେଙ୍କାନାଳ ସହରରେ ବିଇଓ ଙ୍କ ବାସଭବନରୁ ଚୋରି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ସ୍ଥାନୀୟ ବିଇଓଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ମିଳିଥିବା ସୁରାକ ଆଧାରରେ ପୋଲିସ ଚଢ଼ାଉ କରି ଏହି ୨ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି।
ଅଭିଯୁକ୍ତମାନଙ୍କ ନିକଟରୁ ଚୋରି ହୋଇଥିବା ଗ୍ୟାସ ସିଲିଣ୍ଡର, ଏଲଇଡି ଟିଭି (AKAI LED TV) ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି। ପୋଲିସ ଉଭୟଙ୍କୁ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛି ଏବଂ ଏହି ଚୋରି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଚଳାଇଛି।



