ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସଂରକ୍ଷଣ ପାଇଁ ଏନ ଏଲ ସି ଆଇ ଏଲ –ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର
ସମ୍ବଲପୁର, ୧୯/୦୯: (ସମ୍ବଲପୁର) ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ସଂରକ୍ଷଣ, ପରିବେଶ ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଏନ ସି ଏଲ ଇଣ୍ଡିଆ ଲିମିଟେଡ୍ (ଏନ ଏଲ ସି ଆଇ ଏଲ ) ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଶନିବାର ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି।
ସମ୍ବଲପୁର କଲେକ୍ଟୋରେଟ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏନ ଏଲ ସି ଆଇ ଏଲ ତାଲାବିରା ଦ୍ୱତୀୟ ଓ ତୃତୀୟସ ଓ ସି ପି ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜଗଦୀଶ ଚନ୍ଦ୍ର ମଜୁମଦାର ଏବଂ ରେଙ୍ଗାଲି ବିଡିଓ ପ୍ରୀତମ କୁମାର ତାନ୍ତୀ ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏନ ଏଲ ସି ଆଇ ଏଲ ର ମୁଖ୍ୟ ମହାପ୍ରବନ୍ଧକ ରଘୁନାଥ ବେହେରା, ସମ୍ବଲପୁର ମହାନଗର ନିଗମ କମିଶନର ରୋହନ ଖତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏମ୍ଓୟୁ ଅନୁଯାୟୀ, ଏନ ଏଲ ସି ଆଇ ଏଲ ପକ୍ଷରୁ ୩ ବର୍ଷ ମଧ୍ୟରେ ୧ କୋଟି ୧ ଲକ୍ଷ ୮ ହଜାର ୪୯୪ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ଅର୍ଥରେ ସ୍ଥଳର ସ୍ୱଚ୍ଛତା, ଲ୍ୟାଣ୍ଡସ୍କେପିଂ, ବଗିଚା ରକ୍ଷଣାବେକ୍ଷଣ, ପରିବେଶ ସୁରକ୍ଷା ଓ ସୁରକ୍ଷା ବ୍ୟବସ୍ଥା ଭଳି କାର୍ଯ୍ୟ କରାଯିବ।
ବୀର ସୁରେନ୍ଦ୍ର ସାଏଙ୍କ ଖିଣ୍ଡାସ୍ଥିତ ଜନ୍ମସ୍ଥାନ ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟସ୍ଥଳୀ। ଏହାର ରକ୍ଷଣାବେକ୍ଷଣ ଓ ଏମ୍ଓୟୁ ଅନୁଯାୟୀ କାର୍ଯ୍ୟକାରିତାର ତଦାରଖ ସମ୍ବଲପୁର ଜିଲ୍ଲା ପ୍ରଶାସନ କରିବ ।



