ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଳତା ସମାଜର ନୂଆଁଖାଇ ଭେଟଘାଟ
ଏକତା ଓ ପରମ୍ପରାର ବାର୍ତ୍ତା ଦେଲା ସମାବେଶ

ଭଟଲି, ୨୦।୯: – ଭଟଲି ବ୍ଲକ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଳତା ସମାଜର ନୂଆଁଖାଇ ଭେଟଘାଟ ହାତୀସର ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଉପସଭାପତି ବୈରାଗୀ ଚରଣ ସାହୁଙ୍କ ପରିଚାଳନାରେ ଆୟୋଜିତ ସାଧାରଣ ସଭାରେ ବ୍ଲକ କୁଳତା ସମାଜର ସଭାପତି ସଞ୍ଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ମାଧବ ପ୍ରସାଦ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଉପଦେଷ୍ଟା ସୌରୀଚରଣ ବାରିକ, ଡ. ଅରୂପାନନ୍ଦ ସାହୁ, ଲୋକନାଥ ସାହୁ, କମଗାଁ ପୀଠରୁ ଆସିଥିବା ହୃଦାନନ୍ଦ ଖମାରୀ, ପୂଜକ ଜୀବର୍ଦ୍ଧନ ଭୋଇ, ମହିଳା ସଙ୍ଗଠନ ସଭାପତି ଇନ୍ଦିରା ଭୋଇ ଏବଂ ସାଧାରଣ ସମ୍ପାଦିକା ରୀତା ଭୋଇ ପ୍ରମୁଖ ନୂଆଁଖାଇ ଭେଟଘାଟ ସମାଜକୁ ସଂଗଠିତ କରିବାର ଏକ ପ୍ରମୁଖ ମାଧ୍ୟମ ବୋଲି ମତ ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଦିପୀଠ କମଗାଁ ଓ ରାମଚଣ୍ଡୀ ମନ୍ଦିର ନୂଆଁଗଡ଼ର ପୂଜକମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ମହିଳାମାନଙ୍କ ଦ୍ୱାରା ପାରମ୍ପରିକ କକାରା ପିଠା ପ୍ରସ୍ତୁତି କରିଥିଲେ ।
ଶିକ୍ଷା କ୍ଷେତ୍ରରେ ସମାଜ ପକ୍ଷରୁ ଗତବର୍ଷ ହାଇସ୍କୁଲ ବୋର୍ଡ ପରୀକ୍ଷାର୍ଥୀଙ୍କୁ ନିଶୁଳ୍କ ଶିକ୍ଷାଦାନ କରିଥିବା ଶିକ୍ଷକମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପରେ ସମସ୍ତେ ସାମୂହିକ ପ୍ରସାଦ ସେବନ କରି ନୂଆଁଖାଇ ପାଳନ କରିଥିଲେ। ଅଜାମ୍ବିଲ ମାଝୀ, ହରି ସାହୁ, ବିନୋଦ ଭୋଇ, ଉପେନ୍ଦ୍ର ଖମାରୀଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବୀରେନ୍ଦ୍ର ସାହୁଙ୍କ କଣ୍ଠରେ, ଜୟଲାଲ ସାହୁ ଓ ସୁଶୀଲ ବଢ଼େଇଙ୍କ ସହଯୋଗରେ ରାମଚଣ୍ଡୀଙ୍କ ଜଣାଣ ପରିବେଷଣ କରାଯାଇଥିଲା। କୁଳତା ସମାଜର କୁନି କୁନି ପିଲାମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଅଂଶଗ୍ରହଣକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସଭାପତି କ୍ଷୀରଧର ସାହୁ, ସହସମ୍ପାଦକ ରାଜାରାମ ସାହୁ, ଦୁଃଖନାସନ ସାମଲ, ମହିଳା ସଙ୍ଗଠନ ସମେତ ସମାଜର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଭଟଲି ବ୍ଲକର ସମସ୍ତ ୧୬ଟି ପଞ୍ଚାୟତରୁ ହଜାର ହଜାର କୁଳତା ସମାଜ ସଦସ୍ୟ ସପରିବାର ଯୋଗଦେଇଥିଲେ।




