ନିରୀକ୍ଷଣ, ନିୟନ୍ତ୍ରଣ ଏବଂ ସତର୍କତା ମାର୍ଗଦର୍ଶିକାର ସମ୍ପ୍ରସାରଣ କଲା ଗୃହ ମନ୍ତ୍ରଣାଳୟ

ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିୟନ୍ତ୍ରଣ ଉପାୟ, ବିଭିନ୍ନ ଗତିବିଧି ଉପରେ ଏସଓପି ଏବଂ କୋଭିଡ ସମ୍ବନ୍ଧୀୟ ଉପଯୁକ୍ତ ବ୍ୟବହାରକୁ କଡ଼ାକଡ଼ି ପାଳନ କରିବାକୁ ହେବ; ସତର୍କତା ଅବଲମ୍ବନ କରାଯିବା ସହିତ କଡ଼ା ନିରୀକ୍ଷଣ କରିବାକୁ ହେବ : କେନ୍ଦ୍ର
କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ପୂର୍ବରୁ ଜାରି ରହିଥିବା ନିରୀକ୍ଷଣ ସଂକ୍ରାନ୍ତ ମାର୍ଗଦର୍ଶିକାକୁ 31 ଜାନୁଆରୀ 2021 ପର୍ଯ୍ୟନ୍ତ ଲାଗୁ ରଖିବା ନିମନ୍ତେ ଆଜି ଏକ ନିର୍ଦ୍ଦେଶ ଜାରି କରିଛି।
କୋଭିଡ-19ର ନୂଆ ଏବଂ ସକ୍ରିୟ ମାମଲା ସଂଖ୍ୟା ଲଗାତାର ହ୍ରାସ ପାଉଥିଲେ ମଧ୍ୟ ବିଶ୍ୱ ସ୍ତରରେ ମାମଲା ସଂଖ୍ୟାରେ ବୃଦ୍ଧି ଏବଂ ବ୍ରିଟେନରେ ଭୂତାଣୁର ନୂଆ ସଂସ୍କରଣ ଆଗକୁ ଆସିବା ପରେ ନିରୀକ୍ଷଣ, ନିୟନ୍ତ୍ରଣ ଓ ସତର୍କତା ବଜାୟ ରଖିବାର ଆବଶ୍ୟକତା ରହିଛି।
ଏହିକ୍ରମରେ ନିୟନ୍ତ୍ରଣ (କଣ୍ଟେନମେଣ୍ଟ) ଅଞ୍ଚଳକୁ ସତର୍କତା ପୂର୍ବକ ସୀମାଙ୍କନ କରିବା; ଏହି କ୍ଷେତ୍ରରେ ନିୟମ ଅନୁଯାୟୀ କଡ଼ାକଡ଼ି ନିୟନ୍ତ୍ରଣ ପଦକ୍ଷେପର ପାଳନ; କୋଭିଡ ସମ୍ବନ୍ଧୀୟ ଉପଯୁକ୍ତ ବ୍ୟବହାରକୁ ପ୍ରୋତ୍ସାହନ ଏବଂ କଠୋର ଅନୁପାଳନ; ଏବଂ ବିଭିନ୍ନ ମଞ୍ଜୁରିପ୍ରାପ୍ତ ଗତିବିଧି ସଂକ୍ରାନ୍ତରେ ମାନକ ପରିଚାଳନା ପଦ୍ଧତି (ଏସଓପି)କୁ ଦକ୍ଷତାର ସହିତ ପାଳନ ଜାରି ରଖିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଅନୁରୂପ ଭାବେ ନଭେମ୍ବର 25, 2020 ରେ ଗୃହ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଆହୁରି କଡ଼ାକଡ଼ି ଭାବେ ନିରୀକ୍ଷଣ, ନିୟନ୍ତ୍ରଣ ଏବଂ ଗାଇଡଲାଇନ/ଏସଓପି ପାଳନ କରିବାର ଆବଶ୍ୟକତା ରହିଛି।



