ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମେଡିକାଲ କଲୋନୀରେ ବିଦ୍ୟୁତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ବର୍ତ୍ତମାନ ଏଠାରେ ୧୦୦ କେଭିଏର ଟ୍ରାନ୍ସଫର୍ମର ଥିବାବେଳେ ଚାହିଦା ଅନୁଯାୟୀ ୨୫୦ କେଭିଏ ଟ୍ରାନ୍ସଫର୍ମର ଆବଶ୍ୟକ ବୋଲି ସ୍ଥାନୀୟମାନେ ଦାବି କରୁଛନ୍ତି। ଏଥିପାଇଁ ନୂଆ ଟ୍ରାନ୍ସଫର୍ମର ବସାଇବା ଉଦ୍ଦେଶ୍ୟରେ ବେସମେଣ୍ଟ ନିର୍ମାଣ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟ୍ରାନ୍ସଫର୍ମର ବସାଯାଇନାହିଁ।
ଏହି ପ୍ରସଙ୍ଗରେ ଆମ ପ୍ରତିନିଧି ବଅଁରପାଳ ବିଦ୍ୟୁତ ବିଭାଗର ଜେଇଙ୍କୁ ପଚାରିବାରୁ ସେ କହିଥିଲେ, “ଆମେ କଣ କରିବୁ, ଅପେକ୍ଷା କରନ୍ତୁ। ଟ୍ରାନ୍ସଫର୍ମର ଆସିଲେ ବସାଇ ଦିଆଯିବ। ଏତେ ବ୍ୟସ୍ତ କାହିଁକି?” ଏହି ମନ୍ତବ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ଏପଟେ ବର୍ଷା ଋତୁ ଆରମ୍ଭ ହେବା ପରଠାରୁ ଘନଘନ ବିଦ୍ୟୁତ କାଟ ଓ ଅସହ୍ୟ ଗୁଳୁଗୁଳିରେ କଲୋନୀବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ଚାହିଦା ଅନୁଯାୟୀ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ତୁରନ୍ତ ସ୍ଥାପନ କରି ବିଦ୍ୟୁତ ସେବାରେ ସୁଧାର ଆଣିବାକୁ ସ୍ଥାନୀୟ ଲୋକମାନେ TPCODL କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।



