
୨୦୨୦ – ୨୧ବର୍ଷ ରବିଋତୁ ନିମନ୍ତେ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ
(ଜେ ବି ଏନ /ସୁଶାନ୍ତ କୁମାର) ୦୮/୦୧/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟରୁମ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଡାଲି ଜାତୀୟ ଫସଲ , ତୈଳବୀଜ ଓ ପନିପରିବା ଚାଷ ପାଇଁ ଚାଷୀ ମାନଙ୍କୁ ସାର ଓ କୀଟନାଶକ ଔଷଧ ଯୋଗାଇ ଦେବା ସହ ଜଳ ସେଚନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ଏହାଛଡା ଚାଷ କାର୍ଯ୍ୟରେ ଜୈବିକ ସାର ବ୍ୟବହାର କରିବାକୁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ କୃଷି ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ୨୦୧୯ – ୨୦ରବି ଋତୁରେ ୯୬୬୪୪ ହେକ୍ଟର ଜମିରେ ରବି ଚାଷ କରାଯାଇଥିଲା ବେଳେ ଚଳିତ ୨୦୨୦ – ୨୧ ରବି ଋତୁରେ ୯୬୬୯୫ ହେକ୍ଟର ଜମିରେ ରବି ଚାଷ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡାଃ ବସନ୍ତ କୁମାର ସାହୁ ସୂଚନା ଦେଇଥଲେ । ରବି ଫସଲ ନିମନ୍ତେ ଜଳସେଚନ ଓ ମାଟିର ଆଦ୍ରତାକୁ ଦୃଷ୍ଟିରେ ରଖି ୪୨୫ ହେକ୍ଟର ଜମିରେ ଧାନ , ୨୨ ହେକ୍ଟର ଜମିରେ ଗହମ , ୧୦୮୦ ହେକ୍ଟର ଜମିରେ ମକା , ୪୫୦୫୮ ହେକ୍ଟର ଜମିରେ ଡାଲିଜାତୀୟ ଶସ୍ୟ , ୨୦୮୫୭ ହେକ୍ଟର ଜମିରେ ତୈଳବୀଜ , ୨୯୧୯୭ ହେକ୍ଟର ଜମିରେ ପନିପରିବା , ୫୦୨୬ ହେକ୍ଟର ଜମିରେ ମସାଲା ଜାତୀୟ ଓ ୩୦ ହେକ୍ଟର ଜମିରେ ଆଳୁ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୧୯ – ୨୦ ରବି ଋତୁରେ ୪୧୭୨୩ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ହୋଇଥିବାବେଳେ ଚଳିତ ଋତୁରେ ୪୨୦୨୩ ହେକ୍ଟର ଜମିରେ ଜଳସେଚନ ସୁବିଧା କରାଯାଇଛି । ଏହାଛଡା ୧୯୧୦ ମେଟ୍ରିକ୍ ଟନ୍ ସାର ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଗତ ରବି ଋତୁ ପାଇଁ ୨୨୧୨୬.୯୬ ଲକ୍ଷ ଟଙ୍କା କୃଷି ଋଣ ଯୋଗାଇ ଦିଆଯାଇଥିବା ବେଳେ ଚଳିତ ବର୍ଷ ୨୪୫୦୦ ଲକ୍ଷ ଟଙ୍କା କୃଷି ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହାଛଡା ଚଳିତ ରବି ଋତୁ ପାଇଁ ୬୦ଟି ଟ୍ରାକ୍ଟର , ୧୮୦ଟି ପାୱାର ଟିଲର , ୪୩ଟି ପ୍ୟାଡି ରିଗର , ୧୫ଟି ଟ୍ରାନ୍ସଫ୍ୟାଲଟର , ୯୭ଟି ରୋଟାଭେଟର , ୨୬୫ଟି ପମ୍ପସେଟ୍ , ୯୫ ଟି ପାୱାର ଥେସର ଯୋଗାଇ ଦିଆଯିବ । କୃଷି ଋଣ ଯେପରି ପ୍ରକୃତ ଚାଷୀମାନେ ପାଆନ୍ତି ସେଥିପାଇଁ ବିଭାଗୀୟ ଅଧିକାରୀ ବିଶେଷ ଯତ୍ନବାନ୍ ହୋବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଭାଗଚାଷୀକୁ ଋଣ ପ୍ରଦାନ ନିମନ୍ତେ ବଳରାମ ଯୋଜନା , ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା , ଜଳନିଧି , ରାଷ୍ଟ୍ରୀୟ କୃଷି ବିକାଶ ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଭାଗ ସମେତ ଏହାର ଆନୁସଙ୍ଗିକ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥଲେ ।



