ଭୁବନେଶ୍ବର – ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏନେଇ ସମସ୍ତ ପ୍ରସ୍ତୁତି ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ। ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦ୍ଘାଟନ କରିବେ । ଏହି ଅବସରରେ ୧୩ ଦକ୍ଷିଣ ପୂର୍ବ ଏସୀୟ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ।
ଗତବର୍ଷ ୬୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବା ବେଳେ ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ବାଲିଯାତ୍ରା ଭିଡ଼। ଏସିଆ ମହାଦେଶର ଏହି ସର୍ବବୃହତ ମୁକ୍ତାକାଶ ମେଳାରେ ୭୦ ଲକ୍ଷ ଜନସମାଗମ ଆକଳନ କରିଛି ଜିଲା ପ୍ରଶାସନ। ବାଲିଯାତ୍ରା ପଡ଼ିଆରେ ମିଳିବ ଦେଶୀ ପିଠା। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନୁହେଁ ବରଂ ଅନ୍ତର୍ଜାତୀୟ ମାନ୍ୟତା ବା ୟୁନେସ୍କୋ ସାର୍ଟିଫିକେଶନ ହାସଲ କରିବା ଏବେ ପ୍ରାଥମିକତା ପାଲଟିଛି।ଏଥିପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି। ଏଥର ଅନ୍ୟତମ ଆକର୍ଷଣ ପାଲଟିବ କଟକ ଇନ୍ କଟକ। ଓଡ଼ିଆ ଅସ୍ମିତା ସହ ଓଡ଼ିଆ ସିନେମାର କ୍ରମ ବିକାଶର ଚିତ୍ର ସ୍ଥାନ ପାଇଛି ସେଠାରେ। ଏହା ଛଡ଼ା ମହାନଦୀରେ ଲେଜର ଶୋ’, ଡ୍ରୋନ ଶୋ’, ସହ ଜଳକ୍ରୀଡ଼ାର ଭରପୂର ଆନନ୍ଦ ନେଇପାରିବେ ଲୋକେ। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।



