ଗୋତମରା ଗ୍ରାମରେ ହରିହାଟ ନାମଯଜ୍ଞ ଅନୁଷ୍ଠିତ
ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଉପର ସାହିରେ ବହୁ ବ୍ୟବଧାନ ପରେ ଚଳିତ ବର୍ଷ ହରିହାଟ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନ ଧରି କୌଣସି କାରଣ ବଶତଃ ଏହି ହରିହାଟ ନାମଯଜ୍ଞ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ପୁନର୍ବାର ଗ୍ରାମର ଉପର ସାହି ବାସୀ ବୃନ୍ଦ ଏକତ୍ରୀତ ହୋଇ ଚଳିତ ବର୍ଷ ଏହି ହରିହାଟ ନାମଯଜ୍ଞ କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି। ଆଜି ସକାଳୁ ଗ୍ରାମର ଉପର ସାହି ବିଭିନ୍ନ ତୋରଣ ଦ୍ଵାରା ସୁସଜ୍ଜିତ ହୋଇ ଦର୍ଶକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ହରିହାଟ ପାଇଁ ଦିନ ଦୁଇଟା ବେଳକୁ ପ୍ରଥମରେ ହରିଙ୍କର ଫଟୋ ଚିତ୍ରକୁ ଏକ ସୁସଜ୍ଜିତ ପାଲିଙ୍କିରେ ବସାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ପରିକ୍ରମା ସମୟରେ ଡିଜେ, ଘଣ୍ଟୁଆ, ଢୋଲ ବାଜା, ଆଲାମ, ଛତି, କଂସାସୁରଙ୍କ ରାଜା ବେଶ, ରାଧା କୃଷ୍ନ ବେଶ, କୃଷ୍ଣଙ୍କ ବତ୍ସା ସହ ବାଳ ଗୋପାଳ ବେଶ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସାମ୍ନାରେ ଦେବଦାଷୀ ନୃତ୍ୟ, ସମ୍ବଲପୁରୀ ଢୋଲ ବାଦ୍ୟର ତାଳେ ତାଳେ ନର୍ତ୍ତକୀମାନଙ୍କ ନୃତ୍ୟ, ଲଉଡ଼ି ଖେଳ ସହ ରାଧା କୃଷ୍ଣଙ୍କ ପ୍ରେମଲୀଳା, ନାରଦଙ୍କ ବେଶ, ରାକ୍ଷସ, ବୁଢ଼ା ବୁଢୀ ବେଶ, ହାତୀ, ଘୋଡା ନାଚ, ବାଘ ନାଟ, ଶିବ, ପାର୍ବତୀ,ମା କାଳୀ ବେଶ, ଉଗ୍ରସେନ ବେଶ ଓ କୁନି କୁନି ପିଲାଙ୍କ ର ଆକର୍ଷଣୀୟ ପୌରାଣିକ ବେଶଭୁଷା ବେଶ ଚିତାକର୍ଷକ ଓ ମନଲୋଭା ହୋଇଥିଲା। ଗ୍ରାମ ପରିକ୍ରମା ସମୟରେ ଗ୍ରାମର ମହିଳା ମାନେ ନିଜ ଘର ସାମ୍ନାରେ ହରିଙ୍କ ପାଲିଙ୍କି ଅଟକାଇ ବନ୍ଦା ପଣା ଓ ପୂଜା ଅର୍ଚନା କରି ଆଶୀର୍ବାଦ ଲାଭ କରିଥିଲେ। ଏହି ହରିହାଟର ମୁଖ୍ୟ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଫଟୋ ଚିତ୍ର ବେଶ ମନୋହର ହୋଇଥିଲା। ସକାଳ ସମୟରେ ହରିହାଟ ପାଇଁ ଏକ ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଭକ୍ତ ମାନଙ୍କ ସମୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।




