ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ନେଇ ଦାବିପତ୍ର
ତାଳଚେର,୨।୭: ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ଓ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଜି ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ କୋଇଲା ଖଣି ଦ୍ୱାରା ବିସ୍ଥାପିତ ଲୋକମାନଙ୍କୁ ଏମସିଏଲ ସଠିକ୍ ଭାବେ ବସବାସ କରିବାକୁ ଜାଗା ଯୋଗାଇ ଦେଇ ପାରୁ ନଥିବା ବେଳେ ତାଳଚେରର ଜଣେ ଲୋକ ପ୍ରତିନିଧି ୧୦ ଏକରରୁ ଅଧିକ ଏମସିଏଲ ଭରତପୁର କ୍ଷେତ୍ର ଦ୍ଵାରା ଅଧିଗ୍ରହଣ ହୋଇଥିବା ଜାଗାକୁ ଜୋର ଜବରଦସ୍ତ ଜବରଦଖଲ କରି ମାଳରଗୁଡ଼ି ଆଶ୍ରମ ନାମରେ ନିଜର ବ୍ୟକ୍ତିଗତ ଦଳୀୟ କାର୍ଯ୍ୟାଳୟ ଚଳାଇବା ସହ ଏହି ଜାଗାରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା କୋଟି କୋଟି ଟଙ୍କା ଓ ବିଭିନ୍ନ ଗ୍ରାମପଞ୍ଚାୟତର ଲୋକମାନଙ୍କ ପାଇଁ ବିଭିନ୍ନ ଗ୍ରାମର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନାରେ ଆସିଥିବା ଟଙ୍କାକୁ ବେଆଇନ୍ ଭାବେ ନିଜର ବ୍ୟକ୍ତିଗତ କାର୍ଯ୍ୟାଳୟ ତିଆରିରେ ଖର୍ଚ୍ଚ କରିଛନ୍ତି । ଏଭଳି ଅଭିଯୋଗ ନେଇ ଆଜି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ (ବିଏମ୍ଏସ୍) ର ସଭାପତି ତଥା ଭାରତୀୟ ଜନତା ପାର୍ଟି ଅନୁଗୋଳ ଜିଲ୍ଲାର ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ତାଳଚେରର ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ସ୍ଥାନୀୟ ଉପଜିଲ୍ଲାପାଳ ଆଶିଷ ରଂଜନ ସାହୁଙ୍କୁ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସହ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଆଗାମୀ ୭ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦୃଢ଼ ଚେତାବନୀ ଦିଆଯାଇଛି।



