
ପୃଥକ ପୃଥକ ସ୍ଥାନରେ ଘଟିଲା ସଡ଼କ ଦୁର୍ଘଟଣା
ଗୋଟିଏ ଦିନରେ ଦୁର୍ଘଟଣା, ୨ମୃତ
ତାଳଚେର, ୦୫/୦୬ ତାଳଚେର ଟାଉନ ଥାନା ଅନ୍ତର୍ଗତ ଥର୍ମାଲ ନିକଟସ୍ଥ ନୂଆଁପଡ଼ା ଠାରେ ଆଜି ସକାଳ ସମୟରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେଉ ଘଂଟା ନଜାଉଣୁ ପୁଣି ଅପରାହ୍ଣ ସମୟରେ ଆଉ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ତାଳଚେରବାସୀଙ୍କୁ ଏହା ମର୍ମାହତ କରିଛି । ଏହି ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିଲେ ମଧ୍ୟ ରାଜନେତାଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ବଡ଼ ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ଆଜି ଗୁରୁଜାଙ୍ଗୁଲି ଗ୍ରାମ ପଂଚାୟତ ବିଜୁଜନତା ଦଳର ପୂର୍ବତନ ସଭାପତି ସୁମନ ମହାନ୍ତି ପରିବା ଆଣିବାକୁ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା, ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ସେଠାରୁ ତାଙ୍କୁ ଉଦ୍ଧାର କରି ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନା ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ସେହିଭଳି ସେହି ର୍ଥମାଲ ନିକଟସ୍ଥ ନୂଆଁପଡ଼ା ଠାରେ ନରେଶ ଚନ୍ଦ୍ର ସାହୁ (୩୮) ବାଇକ ଯୋଗେ ଯାଉଥିବା ବେଳେ ଗୋଟିଏ ଟ୍ରକ ତାଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଃଖ ଖବର ପ୍ରଚାରିତ ହେବାପରେ ସେଠାରେ ଉତେଜନା ପୂର୍ଣ୍ଣ ଅବସ୍ଥା ଦେଖା ଯାଇଥିଲା, ସ୍ଥାନୀୟ ଲୋକ ଉତ୍ୟକ୍ତ ହେବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଟ୍ରକ ଠିଆହୋଇ ରହିଥିଲା । ତେବେ ଏହି ଜାତୀୟ ରାଜପଥରେ ବହୁ ଲୋକ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ କାହାର ସାମାନ୍ୟତମ ଦୃଷ୍ଟି ପଡ଼ୁନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ଏହି ରାସ୍ତାର ସଂପ୍ରସାରଣ ପାଇଁ ଦୁଇଦୁଇ ଥର ଟେଣ୍ଡର ହୋଇଥିଲେ ମଧ୍ୟ ଏହାର ରାସ୍ତା ନିର୍ମାଣ କରିବା ତ ଦୂରର କଥା ବର୍ତମାନ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ହୋଇ ପାରିଲା ନାହିଁ ।



