ଦେବ ସ୍ନାନ ଦିନ ଗଜାନନ ବେଶ
ଭଟଲି:- ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ପିଠରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଅଛି ।ପ୍ରଥମ ରେ ପୂଜକଙ୍କ ଦ୍ବାରା ସଂଙ୍ଖ ନାଦ କରି ମହାପ୍ରଭୁ ଦଧିବାମନଙ୍କ ପହଡଭଙ୍ଗ ନିତି, ଦ୍ବାର ଫିଟା ନିତି, ମଙ୍ଗଳ ପ୍ରଦୀପ, ଅଖଣ୍ଡ ଦୀପ ପ୍ରଜ୍ବଳନ, ସୂର୍ଯ୍ୟ ପୂଜା, ଅବକାଶ ନିତି, ବେଶ ପରିବର୍ତ୍ତନ, ଗୋପାଲବଲ୍ଲଭ ଭୋଗ, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଲଧୂପ ସମାପନ ହେବାପରେ ମହାପ୍ରଭୁଙ୍କୁ ମଙ୍ଗଳାର୍ପଣ କରାଯାଇଥିଲା । ଏହା ପରେ ଦଧିବାମନ ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପ କୁ ବିଜେ କରାଯାଇଥିଲା ।ସ୍ନାନ ମଣ୍ଡପ ରେ ମନ୍ଦିର ପୁରୋହିତ, ପଣ୍ଡିତ, ପୁଜକ ଓ ସେବାୟତ ଦ୍ବାରା ସ୍ନାନ ପୂଜା ର ସମସ୍ତ ନିତୀ କରାଯାଇଥିଲା ।ପ୍ରଥମ ରେ ଅଭିମନ୍ତ୍ରିତ ହଲଦି ଲେପ କରାଯିବା ପରେ ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ ଚକ୍ରପୁଷ୍କରିଣୀ ରୁ ଅଣାଯାଇଥିବା ଜଳ ରେ ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ର ଜଳକୁ ମିଶ୍ରଣ କରାଯାଇଥିଲା ।ଅଧିବାସ ହୋଇଥିବା ୧୦୮ ଗଡୁ ଅଭିମନ୍ତ୍ରିତ ଜଳରେ ସମପରିମାଣର ଚୁଆ, ଚନ୍ଦନ, କର୍ପୁର, ଅଗୁର ପକାଇ ଶାସ୍ତ୍ରୀୟ ଉପଚାର ବିଧି ଅନୁଯାଇ ମନ୍ଦିର ପୁରୋହିତ ସ୍ନାନ ମଣ୍ଡପ କୁ ଜଳ ବିଜେ କରାଇଥିଲେ ଓ ଅଭିମନ୍ତ୍ରିତ ଜଳ ରେ ସ୍ନାନ କରାଯାଇଥିଲା। ସ୍ନାନ ପରେ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା ।ସମସ୍ତ ଦୈନିକ ନିତିକାନ୍ତି ସମାପନ ପରେ ମହାପ୍ରଭୁଙ୍କୁ ଦକ୍ଷିଣ ଦିଗକୁ ମୁଖରବିନ୍ଦ କରି ବିଭୀଷଣ ବନ୍ଦାପନା କରାଯାଇ ଥିଲା। ଏହାପରେ ସାହାଣ ମେଲା ଅନୁଷ୍ଠିତ ହୋଇଥିଲା।ଗଜାନନ ବେଶ ଦର୍ଶନ କଲେ ପୂଣ୍ଯ ଫଳ ପ୍ରାପ୍ତି ହେବା ସହିତ ଚତୁର୍ବର୍ଗ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ମନ୍ଦିର ପୁରୋହିତ ବାଚସ୍ପତି ରଥ ଓ ଅଂଶୁମାନ ରଥ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପୁଜକ ଗୌରଚନ୍ଦ୍ର ରଥ, ଲଳିତ ମୋହନ ରଥ , ରାଜେଶ କୁମାର ମିଶ୍ର, ସୁମନ୍ତ କୁମାର ଶତପଥି , ସୁଦାମ ଶତପଥି ,ନିତିଶ କୁମାର ଦାଶ ସହଯୋଗ କରିଥିଲେ। ଏହି ଅବସରରେ ମନ୍ଦିର ଚୁଡ଼ାରେ ନୁତନ ଧ୍ବଜା ରୋହଣ କରାଯାଇଥିଲା। ଏହାକୁ ଦେଖିବାକୁ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥିଲା ।



