ଗଣେଶ ପୂଜାକୁ ମାତ୍ର ଦୁଇମାସ ବାକି ରହିଥିବା ବେଳେ ପୂର୍ବବର୍ଷରପୁରସ୍କାର ଏପର୍ଯ୍ୟନ୍ତ ଦିଆଯାଇନଥିବା ଦୂର୍ଭାଗ୍ୟ ଜନକ
ତାଳଚେର, ୧୮/୦୬ ରାଜ୍ୟରେ ପ୍ରସିଦ୍ଧ ଲାଭ କରିଥିବା ତାଳଚେର ଐତିହାସିକ ଗଣପର୍ବ ଗଣେଶ ପୂଜା ଆଉ ଦୁଇମାସ ବାକି ରହିଥିବା ବେଳେ ପୂର୍ବବର୍ଷର ପୁରସ୍କାର ଓ ଆୟବ୍ୟୟର ହିସାବ ଏପର୍ଯ୍ୟନ୍ତ ଦିଆଯାଇନଥିବାରୁ କମିଟି ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଆବାହମାନ କାଳରୁ ତାଳଚେର ଅଂଚଳରେ ମହାସମାରୋହରେ ଶହେରୁ ଉର୍ଦ୍ଧ୍ୱ ମେଢ଼ ପୂଜା ପାଉଥିବା ବେଳେ ସେହିଭଳି ତୋରଣ ସହିତ ରଙ୍ଗବେରଙ୍ଗର ଆଲୋକ ସାଜ୍ଜସଜ୍ଜା, ଲୋକଙ୍କ ମନୋରଞ୍ଜନ ପାଇଁ ଦୋଳି ମନୋହରି ଇତ୍ୟାଦି ପ୍ରସିଦ୍ଧ ଲାଭ କରିଥାଏ । ବାହାର ରାଜ୍ୟରୁ ଏହି ଗଣେଶପୂଜା ଦେଖିବାକୁ ଓ ବିଭିନ୍ନ ଜିଲ୍ଳା ଓ ରାଜ୍ୟରୁ ଦୋକାନୀ ମାନଙ୍କର ଏଠାକୁ ସୂଅ ଛୁଟିଥାଏ । ଏହାକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ବ୍ୟବସ୍ଥା ସହିତ ଟ୍ରାଫିକ ଶାନ୍ତିଶୃଙ୍ଖଳା ଓ ସୁରକ୍ଷାକୁ କଡ଼ାକଡ଼ି କରିବା ନେଇ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ବିଧିବଦ୍ଧ ନିଷ୍ପତି ନିଆଯାଇଥାଏ । ସେହିଭଳି ମୂର୍ତି ପ୍ରଦର୍ଶନ, ଶାନ୍ତିଶୃଙ୍ଖଳା ଓ ପଟ୍ଟୁଆର ପାଇଁ କେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ ଏହାକୁ ତର୍ଜମା କରାଯାଇ ପୁରସ୍କାର ନିର୍ଦ୍ଧାରଣ କରାଯାଇଥାଏ । ପ୍ରାୟତଃ ପ୍ରତିବର୍ଷ ପୂଜାର ଦୁଇରୁ ତିନିମାସ ପରେ ଏହି ପୁରସ୍କାର ବିତରଣ ପ୍ରତିଦ୍ୱିନ୍ଦିମାନଙ୍କୁ ପ୍ରଦାନ କରାଯାଇଥାଏ । ମାତ୍ର ଏପର୍ଯ୍ୟନ୍ତ ପ୍ରତିଦ୍ୱିନ୍ଦିରେ ବିଜୟଲାଭ କରିଥିବା କମିଟି ମାନଙ୍କୁ ପୁରସ୍କାର ବିତରଣ କରାଯାଇନଥିବାରୁ କମିଟି ମଧ୍ୟରେ ଏହାକୁ ନେଇ ଦ୍ୱନ୍ଦ ଉପୁଜିବା ସହିତ ପୂର୍ବବର୍ଷର ଆୟବ୍ୟୟ ହିସାବ ତୁରନ୍ତ ପ୍ରଦାନ କରାଯିବା ନେଇ ଦାବି ହେଉଛି ।



