ଅନୁଗୋଳ/ବଅଁରପାଳ,୨୨.୬ -ରାଜ୍ୟ ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଙ୍ଘର ଅନୁଗୋଳ ଜିଲ୍ଲା ଶାଖାର ଦଶମ ତ୍ରୟୋବାର୍ଷିକ ସମ୍ମିଳନୀ ନାଲକୋନଗର ସ୍ଥିତ ଆଲୁମିନିୟମ ମଜଦୁର ସଙ୍ଘ କାର୍ଯ୍ୟାଳୟରେ ରାଜ୍ୟ ସଂଘର ପୂର୍ବତନ ସଭାପତି ଉପେନ୍ଦ୍ରନାଥ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି, ସମ୍ମାନୀୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନିରୋଦ ଦାସ,ରାଜ୍ୟ ସଙ୍ଘ ସଂଗଠନ ସମ୍ପାଦକ ରାମଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଦୀପକ ରାଉତ ଓ ଜିଲ୍ଲା ସଙ୍ଘ ସଭାପତି ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ l

ପ୍ରାଣୀ ସହାୟତା କେନ୍ଦ୍ରରେ ଆଟେଣ୍ଡାଣ୍ଟ ନିଯୁକ୍ତି, ଦରମା ବୃଦ୍ଧି,ଗସ୍ତ ଭତ୍ତା ବୃଦ୍ଧି ଓ ମାସର ଦରମା ସହ ସାଇକେଲ ବଦଳରେ ମୋଟର ସାଇକେଲର ଭତ୍ତା ପ୍ରଦାନ, ଏଲଆଇ ମାନଙ୍କୁ ଏଏଚଏଲ କେସରେ ନପଠେଇବା, ସାପ୍ତାହିକ ଛୁଟି ପ୍ରଦାନ, ସମସ୍ତ ଚିକିତ୍ସାକେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ପଦ ପୂରଣ , ଶିଳ୍ପସଂସ୍ଥା ଜନିତ କ୍ଷତିଗ୍ରସ୍ତ ଗ୍ରାମ ଗୁଡିକରେ ଶିଳ୍ପସଂସ୍ଥା ଅନୁଦାନରେ ପଶୁ ଚିକିତ୍ସା ଶିବିର କରିବା, ଅନ୍ୟ ରାଜ୍ୟ ତୁଳନାରେ ଦରମାରେ ଅସଙ୍ଗତି ଦୂର କରିବା, ପ୍ରଶିକ୍ଷଣ ନିୟମରେ ସଂଶୋଧନ , ବୃତ୍ତିକୁ ଆଇନ ଅନୁମୋଦନ, ସେବାକୁ ଜରୁରୀକାଳୀନ ସେବା ଘୋଷଣା , କ୍ୟାଡର ର ପୁନର୍ଗଠନ, ବୀମା ପିଛା ୩o ଟଙ୍କା ପ୍ରଦାନ ଓ ସରକାର ନିଜେ କମ୍ବାଇନ ଟୀକା ପ୍ରସ୍ତୁତ କରି ଯୋଗାଇବା ଆଦି ଦାବୀ ନେଇ ମଞ୍ଚାସୀନ ସଙ୍ଘ କର୍ମକର୍ତ୍ତା ମାନେ ମତ ରଖିଥିଲେ l

ମଞ୍ଚାସୀନ ଉଭୟ ବିଧାୟକ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ ସରକାର ସଦାସର୍ବଦା ଆପଣମାନଙ୍କ ପଛରେ ଅଛି ଓ ସମସ୍ତ ଦାବୀକୁ ତର୍ଜନା କରି ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲା l ଜିଲ୍ଲା ସଙ୍ଘ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଭେଟେନାରୀ ଟେକନିସିଆନ ବସନ୍ତ କୁମାର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଶେଷରେ ଜିଲ୍ଲା ସଂଘର ନୂତନ ସାଙ୍ଗଠନିକ କର୍ମକର୍ତ୍ତା ନିର୍ବାଚନ କରା ଯାଇଥିଲା l




