ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ
ଢ଼େଙ୍କାନାଳ, ତା. ୦୫.୧୧.୨୦୨୫- ବିଶ୍ଵ ମୃତ୍ତିକା ଦିବସ ପାଳନ ଅବସରରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମୃତ୍ତିକା ପରୀକ୍ଷାଗାର ପରିସର ମଧ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱନାଥ ଦାସ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ମାଟି ହେଉଛି ଆମର ଜୀବନ୍ତ ମାତା ବୋଲି କହି ଏହାକୁ ଗୁଣ ଯୁକ୍ତ କରିବା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏହାର ପରୀକ୍ଷା କରାଇ ଫସଲକୁ ଗୁଣଯୁକ୍ତ କରିବା ସହିତ ଅଧିକ ଅମଳ କରିବା ଜରୁରୀ ବୋଲି କହିଥିଲେ । ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା ଅପରିହାର୍ଯ୍ୟ ବୋଲି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ତଥା ମୁଖ୍ୟ ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି ପ୍ରକାଶ କରିଥିଲେ । ଜମିରେ ଅଧିକ ରାସାୟନିକ ସାର ପ୍ରୟୋଗ ମାଟି ମା ପ୍ରତି ଅତ୍ୟାଚାର ବୋଲି କହି, ଏଥି ନିମନ୍ତେ ଖତ ଓ ଜୈବିକ ସାର ପ୍ରୟୋଗ ଉପରେ ଅଧିକ ଗୁରୁତ୍ବ ଦେବାକୁ ସେ ଉପସ୍ଥିତ ଚାଷୀ ଭାଇ ଭଉଣୀମାନଙ୍କୁ ପରାମର୍ଶ ଦେଇଥିଲେ । ପାରମ୍ପାରିକ ଖତ ସାର ପ୍ରୟୋଗ କରି ଧାନ, ତୈଳବୀବ ଓ ଡ଼ାଲି ଜାତୀୟ ଚାଷ କରିବାକୁ କହିଥିଲେ । ଜମିକୁ ପଡ଼ିଆ ନ ରଖି ସର୍ବଦା ଚାଷ କାର୍ଯ୍ୟରେ ନିୟୋଜିତ କଲେ ଜମିର ଉର୍ବରତା ବୃଦ୍ଧି ପାଇବ ବୋଲି କହିଥିଲେ । ମୃତ୍ତିକା ଏକ ଜୀବନ୍ତ ପିଣ୍ଡ, ଏହାର ସଂରକ୍ଷଣ ଆମ ସମସ୍ତଙ୍କର ଦାୟୀତ୍ଵ ବୋଲି ମତ ବ୍ୟକ୍ତ କରିଥିଲେ । ମାଟି ହେଉଛି ସକଳ ଜୀବର ଆଧାର ବୋଲି ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀ ଉମାଶଙ୍କର ଦାସ କହିଥିଲେ । ଏକ ସୁନ୍ଦର ପୃଥିବୀ ଗଠନ ସହିତ ଆଗାମୀ ଯୁବପିଢୀମାନଙ୍କ ପାଇଁ ସମସ୍ତେ ସଚେତନ ହୋଇ ମାଟିର ସୁରକ୍ଷା ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । ପି.ପି.ଏଲ. ର ଅଧିକାରୀ ଶ୍ରୀ ବିନୋଦ କୁମାର ଲେଙ୍କା ମାଟିର ପରୀକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୂମିତ୍ର, ଅଣୁସାର ଓ ସନ୍ତୁଳିତ ରସାୟନିକ ସାର ବ୍ୟବହାର କରିବା ଏବଂ ଅଧିକ ଜୈବିକ ଓ ଖତ ସାର ପ୍ରୟୋଗ ପାଇଁ ପ୍ରବର୍ତ୍ତାଇଥିଲେ । ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର କୁମାର ଦଳେଇ, ଆର.ଆର.ଟି.ଡ଼ି. ର ଆଡ଼ିସନାଲ ଡ଼ାଇରେକ୍ଟର ଡକ୍ଟର ଡ଼ି.ଆର. ମିଶ୍ର, ସଏଲ୍ କେମିଷ୍ଟ ଶ୍ରୀ ପଦାରବିନ୍ଦ ସାହୁ ସଏଲ୍ ହେଲଥ୍ କାର୍ଡ଼ର ଆବଶ୍ୟକତା ଓ ଏହାର ଉପଯୋଗୀତା ସମ୍ବନ୍ଧରେ ବୁଝାଇ କହିଥିଲେ । ଏହି ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଅତିଥିମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ । ଶେଷରେ ସହକାରୀ କୃଷି ଅଧିକାରୀ ସୃତିରେଖା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



