ଅନୁଗୁଳ, ୧୧ ଡିସେମ୍ବର : ଜିନ୍ଦଲ ଷ୍ଟିଲର ସାମାଜିକ ଦାୟିତ୍ୱ ଶାଖା, ଜିନ୍ଦଲ ଫାଉଣ୍ଡେସନର ଅଗ୍ରଣୀ ପଦକ୍ଷେପ ‘ଉତ୍କର୍ଷ’ କୋଚିଂ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୩ ଜଣ ପ୍ରାର୍ଥୀଙ୍କୁ ସମ୍ମାନିତ କରାଯାଇଛି । ‘ଉତ୍କର୍ଷ’ କାର୍ଯ୍ୟକ୍ରମ ଜରିଆରେ ଏହି ପ୍ରାର୍ଥୀମାନେ ମାଗଣା ଓ ଉଚ୍ଚମାନର ତାଲିମ ଗ୍ରହଣ କରିଥିଲେ। ଜିନ୍ଦଲ ଷ୍ଟିଲର ଅନୁଗୁଳ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଙ୍କଜ ମଲହାନ ଏହି ସଫଳ ପ୍ରାର୍ଥୀମାନଙ୍କୁ ସମ୍ମାନିତ କରିଥିଲେ।
ଏହି ଅବସରରେ, ଶ୍ରୀଯୁକ୍ତ ମାଲହାନ ଓଡ଼ିଶାର ଯୁବ ଏବଂ ପ୍ରତିଭାବାନ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, “ଆପଣଙ୍କ ବୃତ୍ତିଗତ ଭବିଷ୍ୟତ ପାଇଁ ମୁଁ ବହୁତ ବହୁତ ଶୁଭକାମନା ଜଣାଉଛି। ମୁଁ ନିଶ୍ଚିତ ଯେ, ରାଜ୍ୟବାସୀ ଆପଣଙ୍କ ସେବା ପାଇ ଉପକୃତ ହେବେ। ମୁଁ ଏହା ମଧ୍ୟ ଆଶା କରୁଛି ଯେ, ଆପଣମାନେ ଆପଣଙ୍କ ଦକ୍ଷତା ଏବଂ ନ୍ୟାୟପୂର୍ଣ୍ଣ ବିଚାର ଅନୁସାରେ ସରକାରୀ ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ଆଶା ମଧ୍ୟରେ ସମନ୍ୱୟ ରଖିବେ।“
ଶ୍ରୀଯୁକ୍ତ ମଲହାନଙ୍କୁ ଭେଟିଥିଲେ, ଓପିଏସପି ପରୀକ୍ଷାରେ ସଫଳ ହୋଇଥିବା ମିତା ସାହୁ (ରାଙ୍କ ୬୪), ବଳରାମ ସାହୁ (ରାଙ୍କ ୧୪୦), ବିଶ୍ୱଜିତ ବେହେରା (ରାଙ୍କ ୧୪୧), ଅନିଲ କୁମାର ସାହୁ (ରାଙ୍କ ୧୫୦), ସୋମିତ କୁମାର ସେଠ୍ (ରାଙ୍କ ୧୮୩), ଅଟଳ ଦାଶ (ରାଙ୍କ ୨୦୧), ରାଜେନ୍ଦ୍ର କୁମାର ଓଝା (ରାଙ୍କ ୨୦୯), ଦେବ ଚନ୍ଦନ ରାଉତ (ରାଙ୍କ ୨୨୧), ସାସ୍ୱତ ସୌମ୍ୟକାନ୍ତ (ରାଙ୍କ ୨୩୫), ଜଗନ୍ନାଥ ସା (ରାଙ୍କ ୨୪୩), ମିତାରାଣୀ ବାରିକ (ରାଙ୍କ ୨୭୩), ବିଶାଲ ରଂଜନ ଭୋଇ (ରାଙ୍କ ୩୪୬), ଏବଂ ଜ୍ଞାନେନ୍ଦ୍ର କୁମାର ସାହୁ (ରାଙ୍କ ୩୮୭) ।
ଏହି ଅବସରରେ ‘ଉତ୍କର୍ଷ’ କାର୍ଯ୍ୟକ୍ରମ ମାଧ୍ୟମରେ ମିଳିଥିବା ସମର୍ଥନ ପାଇଁ କୃତିପ୍ରାର୍ଥୀମାନେ ଜିନ୍ଦଲ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଥିଲେ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିନ୍ଦଲ ଫାଉଣ୍ଡେସନର ଅନୁଗୁଳ ସିଏସଆର ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ଜୟନ୍ତ କୁମାର ମହାନ୍ତି ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
୨୦୨୧-୨୨ ମସିହାରେ ଆରମ୍ଭ ହୋଇଥିବା “ଉତ୍କର୍ଷ” ପଦକ୍ଷେପ ଜରିଆରେ ପ୍ରତିବର୍ଷ ୫୦୦ ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ପ୍ରଦାନ କରାଯାଉଛି ଏବଂ ଆରମ୍ଭ ହେବା ଦିନଠାରୁ ୨୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଓପିଏସସି, ଓଏଏସ୍ ସମେତ ବିଭିନ୍ନ ସରକାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସାମଗ୍ରିକ ଭାବରେ ‘ଉତ୍କର୍ଷ’ କୋଚିଂ କାର୍ଯ୍ୟକ୍ରମ ଜରିଆରେ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଓପିଏସସି ପରୀକ୍ଷାରେ ବିଶେଷ ଭାବରେ ଯୋଗ୍ୟତା ଅର୍ଜନ କରିଛନ୍ତି।
ଏଠି ଉଲ୍ଲେଖନୀୟ ଯେ, ଶିକ୍ଷାର ବିକାଶ ପାଇଁ ପ୍ରତିବଦ୍ଧ ଥିବା ଜିନ୍ଦଲ ଫାଉଣ୍ଡେସନ, ଆଫ୍ଟର ସ୍କୁଲ ଲର୍ଣ୍ଣିଂ, ଯଶସ୍ୱୀ, ଓ.ପି. ଜିନ୍ଦଲ ଷ୍ଟାର ଏବଂ ଜୁଏଲ୍ ସ୍କଲାରସିପ୍, ଜିନ୍ଦଲ ଆଶା ଏବଂ ସାବିତ୍ରୀ ଜିନ୍ଦଲ ଡିଏଭି ହାଇସ୍କୁଲ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାରିରଖିଛି ।



