ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ “ଅଭ୍ୟୁତଥାନମ୍” ୨୦୨୫ ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ): – ଭଟଲି ବ୍ଲକ କେଶାଇପାଲି ପଞ୍ଚାୟତ ଅନ୍ତର୍ଗତ ତରାଜୁଙ୍ଗା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ବାର୍ଷିକୋତ୍ସବ “ଅଭ୍ୟୁତଥାନମ୍” ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ବର୍ଷା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ପଞ୍ଚାୟତ କଲେଜ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼. କିଶୋର ନାୟକ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥୀ ଭାବରେ ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ତହସିଲଦାର ରାମକୃଷ୍ଣ ମିଶ୍ର, ଗୋବିନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କେଦାରନାଥ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଭଟଲିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନଙ୍କ ପ୍ରତିଛବି ଆଗରେ ଦୀପ ପ୍ରଜ୍ୱଳନ କରାଯାଇଥଲା । ମୁଖ୍ୟବକ୍ତା ସମସ୍ତ ବିଦ୍ୟାଳୟ ମାନଙ୍କରେ କେବଳ ଶିକ୍ଷା ପ୍ରଦାନ କରିବା ତାର ଉଦ୍ଦେଶ୍ୟ ନୁହେ ତାହା ସହିତ ଆମର ସଂସ୍କୃତି ପରମ୍ପରାକୁ ବଜାୟ ରଖିବାର ପ୍ରଚେଷ୍ଟା ମଧ୍ୟ କରାଗଲେ ଶିଶୁ ମାନଙ୍କ ଜୀବନ ଯାପନ ଶୈଳୀରେ ଏକ ବଡ ଧରଣର ପରିବର୍ତ୍ତନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ବାର୍ଷିକୋତ୍ସବ ଅଭ୍ୟୁତଥାନମ୍-୨୦୨୫ ଅବସରରେ ଜଡ଼ିବୁଟି ଅସ୍ଥି ଶୈଲ୍ୟ ବୈଦ୍ୟରାଜ କାଲିଆ ବରିହା ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହା ପରେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆରତି ନାୟକ ,ଅଶ୍ଵିନୀ କୁମାର ମେହେର, ଫକୀର ମୋହନ ଆଚାର୍ଯ୍ୟ ଏବଂ ଝସକେତନ୍ ବଗର୍ତ୍ତି ସହଯୋଗ କରିଥିଲେ। ନବମ ଶ୍ରେଣୀର ଛାତ୍ରୀ ହଂସିକା ସାହୁଙ୍କୁ “ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ଆୱlର୍ଡ” ପ୍ରଦାନ କରାଯାଇଥିଲା । ଏହା ସହିତ ଶ୍ରେଷ୍ଠ ଶୃଙ୍ଖଳିତ ଛାତ୍ରୀ ଭାବରେ ନମ୍ରତା ପଧାନ,ଇମର୍ଜିଙ୍ଗ ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍ କୌଶଳ୍ୟା ବଢେଇ, ଦଶମ ବୋର୍ଡ଼ ଟପ୍ପର ନିୟତି ନିହାରିକା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ସେବକ ଶିକ୍ଷକ ଲଲିତ ନାଏକ ଏବଂ ଅରୁଣା ପଧାନ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ସୁଶାନ୍ତ କୁମାର ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ।




