ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସମାରୋହ ଅନୁଷ୍ଠିତ
ଢ଼େଙ୍କାନାଳ, ତା. ୧୩.୧.୨୦୨୬- ଜଳ ସଂପଦ ବିଭାଗ, ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ଗତ ୬ ତାରିଖ ଠାରୁ ପାଣି ପଞ୍ଚାୟତ ପକ୍ଷ ପାଳିତ ହେଉଅଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ରେଙ୍ଗାଳି ଦକ୍ଷିଣ ଜଳସେଚ଼ନ ମଣ୍ଡଳ, ଢ଼େଙ୍କାନାଳ ପକ୍ଷରୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଯୋଗ ଦେଇ, ଜଳ ବିନା ଜୀବନ ଓ ଜୀବିକା ଅସମ୍ଭବ, ଏଣୁ ଏହାର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଜଳର ସୁପରିଚାଳନା, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ସମସ୍ତ କୃଷକ ଭାଇ ମାନେ ଯତ୍ନବାନ ହେବାକୁ କହିଥିଲେ । ସଚ଼େତନ ହୋଇ ପାଣି ପଞ୍ଚାୟତକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରାଇ କମିଟିର ସଦସ୍ୟ ମାନେ ଏକଜୁଟ୍ ହୋଇ ସହଯୋଗ କରି ସମସ୍ତ ଜମିକୁ ସୁଷମ ଜଳ ବଣ୍ଟନର ବ୍ୟବସ୍ଥା କରିବାକୁ କହିଥିଲେ । ପ୍ରାରମ୍ଭରେ ରେଙ୍ଗାଳି ଦକ୍ଷିଣ ଜଳସେଚ଼ନ ପ୍ରକଳ୍ପର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ସେଠୀ ପାଣି ପଞ୍ଚାୟତ ପକ୍ଷ ପାଳନ ଓ ଏହାର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇ କୃଷକ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ। ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ମଡ଼େଲ ପ୍ରସ୍ତୁତକାରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଚାଷୀଭାଇ ଭଉଣୀମାନେ ଜଳ ସଂରକ୍ଷଣ ଓ ସୁଷମ ବଣ୍ଟନ ସଂପର୍କିତ ଶପଥ ପାଠ କରିଥିଲେ। ସମାରୋହରେ ପୌରଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ୱନାଥ ଦାସ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ତରାଇ, ମୁଖ୍ୟଯନ୍ତ୍ରୀ ଶ୍ରୀ କୁଳମଣି ସେଠୀ, ପାଣି ପଞ୍ଚାୟତର ସଭାପତି ଶ୍ରୀ ନିରଞ୍ଜନ ପତି ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ସତ୍ୟ ନାରାୟଣ କର ସଂଯୋଜନା କରିଥିଲେ । ଶେଷରେ ରେଙ୍ଗାଳି ଦକ୍ଷିଣ ଜଳସେଚ଼ନ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



